ଲାଞ୍ଚୁଆ ଆଇଏଏସ ଅଫିସରଙ୍କ ବିରୋଧରେ ବଡ ପ୍ରମାଣ ଦେଲା ଭିଜିଲାନ୍ସ । ୭ ବର୍ଷରେ ବିଜୟଙ୍କ ଆକାଉଣ୍ଟରେ ଜମା ହୋଇଥିଲା ୭୦ ଲକ୍ଷ ଟଙ୍କା, ଦିନକୁ ଏକାଧିକ ବାର ଜମା ହୋଇଛି ଟଙ୍କା ।

714

କନକ ବ୍ୟୁରୋ : ଲାଞ୍ଚ ନେଇ ନିଲମ୍ବିତ ହୋଇଥିବା ଆଇଏଏସ ଅଫିସର ବିଜୟ କେତନଙ୍କ ଆକାଉଣ୍ଟକୁ ନେଇ ସାଂଘାତିକ ତଥ୍ୟ ଦେଇଛି ଭିଜିଲାନ୍ସ । ୧ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଭିଜିଲାନ୍ସ ଯାଞ୍ଚ କରୁଥିବା ବେଳେ ଲାଞ୍ଚୁଆ ଅଫିସରଙ୍କ ଲାଞ୍ଚ କାରବାରର ପୁରୁଣା ପୋଥି ବାବଦରେ ସାଂଘାତିକ ସୁରାକ ମିଳିଛି ।

୨୦୧୨ରୁ ୨୦୧୯ ଭିତରେ ବିଜୟ କେତନଙ୍କ ୩ଟି ଖାତାରେ ଜମା ହୋଇଛି ୭୦ ଲକ୍ଷ ଟଙ୍କା । ଅଥାର୍ତ ୭ ବର୍ଷରେ ବିଜୟ କେତନଙ୍କ ଖାତାରେ ଜମା ହୋଇଛି ୭୦ ଲକ୍ଷ ଟଙ୍କା । ଆଉ ଯେତେବେଳେ ବିଜୟ କେତନଙ୍କ ଆକାଉଣ୍ଟକୁ ନେଇ ତନାଘନା ଆରମ୍ଭ ହୋଇଛି ସେତେବେଳେ ଆଖି ତରାଟି ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଉଭୟ କାଉଣ୍ଟର ଓ କ୍ୟାସ ଜମା ମେସିନ ଜରିଆରେ ଆକାଉଣ୍ଟରେ ଟଙ୍କା ଜମା ହୋଇଛି । ସବୁଠୁ ବଡ କଥା ହେଲା, ବିଜୟ କେତନ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଥିବା ବେଳେ ଜମା ହୋଇଛି ୨୨ ଲକ୍ଷ ଟଙ୍କା । ଗୋଟିଏ ଦିନରେ ଏକାଧିକବାର ଅକାଉଣ୍ଟରେ ଟଙ୍କା ଜମା ହୋଇଛି । ଏପରିକି ସେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡରେ ନିବେଶ ନେଇ ଭିଜିଲାନ୍ସ ଯାଞ୍ଚ ଚଳାଇଥିବା ଜଣାପଡିଛି ।

ଏହାପୂର୍ବରୁ ନିଲମ୍ବିତ ଆଇଏଏସ ଅଫିସର ବିଜୟ କେତନ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ । ଗିରଫ ପରେ ପଚରା ଉଚରା ପାଇଁ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ୫ ତାରିଖ ଯାଏଁ ତାଙ୍କୁ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ତେବେ ଜାମିନ ଆବେଦନର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ । ଯେଉଁଥିପାଇଁ ବିଜୟ କେତନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଗୋଟିଏ ପଟେ ଲାଞ୍ଚ ମାମଲା ଗୁଡିକରେ ବିଜୟ କେତନ ଉପାଧ୍ୟାୟ ଓ ସନ୍ତୋଷ ପଟ୍ଟନାୟକଙ୍କର ସଂପୃକ୍ତି ନେଇ ଖୋଳତାଡ ଚଳାଇଛି ଭିଜିଲାନ୍ସ ବିଭାଗ । ଅନ୍ୟପଟେ ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରୁଛନ୍ତି ଦୁଇ ଅଭିଯୁକ୍ତ । ଫଳରେ ଦିନକୁ ଦିନ ଏହି ମାମଲା ନେଇ ରହସ୍ୟ ବଢ଼ିବାରେ ଲାଗିଛି ।