ମହଙ୍ଗା ପଡିଲା ଛୋଟ ପିଲାଙ୍କୁ ମୋବାଇଲ୍ ଫୋନ୍ ଦେବା । ଗେମ୍ ଖେଳୁ ଖେଳୁ ଖାଲି ହୋଇଗଲା ଆକାଉଣ୍ଟ, ବିଲ୍ ଭରିବାକୁ କାର ବିକିଲେ ବାପା ।

475

କନକ ବ୍ୟୁରୋ : ମହଙ୍ଗା ପଡିଲା ଛୋଟ ପିଲାଙ୍କୁ ମୋବାଇଲ୍ ଫୋନ୍ ଦେବା । ଗେମ୍ ଖେଳୁ ଖେଳୁ ଉଡିଗଲା ଲକ୍ଷ ଲକ୍ଷ ଟଙ୍କା । ବୟସ୍କଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ମଧ୍ୟରେ ଏବେ ସ୍ମାର୍ଟଫୋନର ଚାହିଦା ବେଶ୍ ବଢି ବଢି ଚାଲିଛି । ବିଶେଷ କରି ଛୋଟ ପିଲାମାନେ ଏବେ ସ୍ମାର୍ଟଫୋନ୍ ପ୍ରତି ଅଧିକ ଆକର୍ଷିତ ହେଉଛନ୍ତି । କିନ୍ତୁ ଛୋଟ ପିଲାଙ୍କୁ ମୋବାଇଲ୍ ଫୋନ୍ ଦେବାର ପରିଣତି ଯେ ଏତେ ଭୟଙ୍କର ହେବ, ତାହା ଏହି କାହାଣୀ ଶୁଣିଲେ ଆପଣ ଜାଣିପାରିବେ ।

ଜଣେ ବାପା ନିଜର ଛୋଟ ପୁଅକୁ ମୋବାଇଲ୍ ଫୋନ୍ ଦେବା ମହଙ୍ଗା ପଡିଛି । ଆପଲ୍ ଆଇଫୋନରେ ଥିବା ଏକ ଗେମ୍ ଖେଳୁ ଖେଳୁ ଆକାଉଂଟର କଟିଗଲା ଟଙ୍କା । ଛୋଟ ପିଲାମାନେ ମୋବାଇଲରେ ଗେମ୍ ଖେଳିବା ସାଧାରଣ କଥା । କିନ୍ତୁ ଥରେ ଭାବନ୍ତୁ ଯଦି ଗେମ୍ ଖେଳୁ ଖେଳୁ ଆପଣଙ୍କ ଆକାଉଂଟରୁ ଟଙ୍କା କଟିଯିବ । ଏମିତି ହିଁ କିଛି ଘଟଣା ସାମ୍ନାକୁ ଆସିଛି ୟୁନାଇଟେଡ୍ କିଙ୍ଗଡମରୁ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ୭ବର୍ଷର କୁନି ପୁଅଟିଏ ତା ବାପାଙ୍କ ଆଇଫୋନରେ ଡ୍ରାଗନ୍ସ : ରାଇଜ୍ ଅଫ୍ ବର୍କର ଫ୍ରି ଭର୍ସନ ଗେମ୍ ଖେଳୁଥିଲା । ଆଉ ସେ ଗେମ୍ ଖେଳିବା ସମୟରେ ୧୮୦୦ ଡଲାର ଅର୍ଥାତ ପାଖାପାଖି ୧ ଲକ୍ଷ ୩୦ ହଜାର ଟଙ୍କା ଆକାଉଂଟରୁ କଟିଯାଇଥିଲା ।

ଆପଣ ସାଧାରଣତଃ ଲକ୍ଷ୍ୟ କରିଥିବେ ଗେମ୍ ଖେଳିବା ବେଳେ କିମ୍ବା ଇଂଟରନେଟରେ କିଛି ଭିଡିଓ ଦେଖୁଥିବା ସମୟରେ କିଛି ଆପ୍ ପରଚେଜ୍ ପାଇଁ ଅପସନ୍ ଆସିଥାଏ । ଆଉ ଏହି ଅପସନ ଗୁଡିକୁ ଓକେ କରିଦେବାରୁ ବ୍ୟକ୍ତିଙ୍କ ଆକାଉଂଟରୁ ପର୍ଯ୍ୟାୟକ୍ରମେ ୧ ଲକ୍ଷ ୩୦ ହଜାର ଟଙ୍କା କଟିଯାଇଥିଲା । ପିଲାଟିର ବାପା ମା ସେତେବେଳେ, ଏହା ଜାଣିବାକୁ ପାଇଥିଲେ, ଯେତେବେଳେ ଟଙ୍କା କଟିବାର ବିଲ୍ ତାଙ୍କୁ ୨୯ଟି ଇମେଲ୍ ମାଧ୍ୟମରେ ଆସିଥିଲା ।

ତେବେ ଏତେ ଟଙ୍କାର ବିଲ୍ ଆସିବା ପରେ ଉକ୍ତ ବ୍ୟକ୍ତିଙ୍କୁ ନିଜ କାର୍ ବିକିବାକୁ ପଡିଛି । ସେ ବିଲ୍ ଭରିବା ପାଇଁ ନିଜର ଟୟୋଟା ଗାଡିକୁ ବିକ୍ରି କରିଦେଇଛନ୍ତି । ତେବେ ଏହି ଘଟଣା ନେଇ ସେ ଆପଲ୍ ଷ୍ଟୋରରେ ମଧ୍ୟ ଅଭିଯୋଗ କରିଛନ୍ତି ।