ରାହୁଲଙ୍କୁ ଦେଖିନପାରିବାରୁ କାନ୍ଦି କାନ୍ଦି ଘରକୁ ଫେରିଲା କୁନି ପ୍ରଶଂସକ : ଫେସବୁକ ପୋଷ୍ଟ ଭାଇରାଲ ହେବା ପରେ ରାହୁଲଙ୍କ ପାଖରୁ ଆସିଲା ଫୋନ କଲ୍

498

ଦେଶରେ ନିର୍ବାଚନୀ ମାହୋଲ । ଜୋର ଧରୁଛି ପ୍ରଚାର । ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁଇଟି ଆସନ-ୱାଇନାଡ ଓ ଆମେଠିରୁ ଲଢ଼ୁଛନ୍ତି । ସେଥିପାଇଁ ସେ ଗତ ୧୭ ତାରିଖରେ କେରଳର କନ୍ନୁର ଜିଲ୍ଲାକୁ ପ୍ରଚାର ପାଇଁ ଯାଇଥିଲେ । ତେବେ ରାହୁଲ ଏହି ନିର୍ବାଚନୀ ସଭାରେ ତାଙ୍କର ଏକ କୁନି ପ୍ରଶଂସକଙ୍କୁ ଅଜାଣତରେ ଦୁଃଖିତ କରିଥିଲେ । ସକାଳ ଭୋର ୫ଟାରୁ ଆସି ରାହୁଲ ଗାନ୍ଧୀଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା କୁନି ପ୍ରଶଂସକ ତାଙ୍କର ଏକ ଝଲକ ପାଇବାରୁ ବଂଚିତ ହୋଇଥିଲେ ।

ସୂଚନାଯୋଗ୍ୟ, ନିଜକୁ ରାହୁଲଙ୍କ ପ୍ରଶଂସକ କହୁଥିବା ୭ ବର୍ଷୀୟ ନନ୍ଦନ, ରାହୁଲ ଗାନ୍ଧୀଙ୍କ ନିର୍ବାଚନୀ ସଭାକୁ ଆସିଥିଲେ । ରାହୁଲଙ୍କ ଭାଷଣ ସକାଳ ୯ଟାରେ ଥିଲା, କିନ୍ତୁ କିଛି ସୁରକ୍ଷା ସମ୍ବନ୍ଧୀୟ ଯାଂଚ କାରଣରୁ ନନ୍ଦନ ରାହୁଲ ଗାନ୍ଧୀଙ୍କୁ ଦେଖିବାରୁ ବଂଚିତ ହୋଇଥିଲେ । ସେ କାନ୍ଦି କାନ୍ଦି ଘରକୁ ଫେରିଥିଲେ । ଏହି ବିଷୟରେ ନନ୍ଦନଙ୍କ ବାପା ଫେସବୁକରେ ଏକ ପୋଷ୍ଟ କରିଥିଲେ, ଯାହାକି ଭାଇରାଲ ହୋଇଥିଲା । ଏହି ପୋଷ୍ଟ ପରେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ ନନ୍ଦନଙ୍କୁ ଫୋନ କରିଥିଲେ । ଦୁଃଖିତ ଥିବା ନନ୍ଦନ “ହ୍ୟାଲୋ, ମୁଁ ରାହୁଲ ଗାନ୍ଧୀ” ଶୁଣି ବହୁତ ଖୁସି ହୋଇଯାଇଥିଲେ । ନନ୍ଦନଙ୍କ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ରାହୁଲ ଗାନ୍ଧୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।