ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୭ମହିଳା : ଜାଣନ୍ତୁ କେଉଁ କେଉଁ ମହିଳାଙ୍କୁ ମିଳିଲା ସ୍ଥାନ ?

223

କନକ ବ୍ୟୁରୋ : ମୋଦୀ ସରକାରଙ୍କ ୨.୦ କ୍ୟାବିନେଟ୍‌ରେ ସବୁ ବର୍ଗଙ୍କୁ ପ୍ରଧାନ୍ୟ ଦିଆଯାଇଛି । ନୂଆ କ୍ୟାବିନେଟ୍‌ରେ ନାରୀ ଶକ୍ତି ଏବଂ ଯୁବ ଶକ୍ତି ସମେତ ବିଭିନ୍ନ ବର୍ଗଙ୍କୁ ପ୍ରାଧାନ୍ୟ ମିଳିଛି । ସାମାଜିକ ଏବଂ ଆର୍ଥିକ ଭାବେ ପଛୁଆ ସମ୍ପ୍ରଦାୟର ଅଧିକ ପ୍ରତିନିଧିତ୍ବ ରହିଛି। ଏଥିସହ ପ୍ରଶାସନିକ ଏବଂ ବ୍ୟବସ୍ଥାପିକା କ୍ଷେତ୍ରରେ ଅଭିଜ୍ଞତା ଥିବା ବ୍ୟକ୍ତିତ୍ବ ବି ସାମିଲ ହୋଇଛନ୍ତି । ଅଧିକ ଉଚ୍ଚ ଶିକ୍ଷିତଙ୍କୁ ସ୍ଥାନ ମିଳିଛି । ସେହିପରି ପ୍ରଧାନମନ୍ତ୍ରୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୭ ଜଣ ମହିଳା ସାଂସଦ ସାମିଲ ହୋଇଛନ୍ତି । ଉକ୍ତ ୭ ନୂଆ ମନ୍ତ୍ରୀ ‌ହେଉଛନ୍ତି ।

ଅନୁପ୍ରିୟା ସିଂହ ପଟେଲ (୪୦) –

ଉତ୍ତରପ୍ରଦେଶର ମିର୍ଜାପୁର ଲୋକସଭା ସାଂସଦ ଅନୁପ୍ରିୟା ସିଂହ । କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ସମ୍ପାଦନ କରିଛନ୍ତି । ଦ୍ବିତୀୟ ଥର ସେ ସାଂସଦ ଭାବେକାର୍ଯ୍ୟ ସମ୍ପାଦନ କରୁଛନ୍ତି । ଉତ୍ତରପ୍ରଦେଶର ସେ ମଧ୍ୟ ପୂର୍ବତନ ବିଧାୟିକା। ଛତ୍ରପତି ଶାହୁଜୀ ମହାରାଜ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ରାଜନୀତିରେ ଯୋଗ ଦେବା ପୂର୍ବରୁ ସେ ବିଶ୍ବବିଦ୍ୟାଳୟରେ ପ୍ରଫେସର ଥିଲେ ।

ସୁଶ୍ରୀ ଶୋଭା କରନ୍ଦଲାଜେ (୫୪) –

କର୍ଣ୍ଣାଟକ ଚିକମାଗାଲୁର୍‌ର ସେ ଉଡ଼ୁପି ଲୋକସଭା ସାଂସଦ । ଏହି ପୂର୍ବତନ ରାଷ୍ଟ୍ର ମନ୍ତ୍ରୀ ଦ୍ବିତୀୟ ଥର ପାଇଁ ସାଂସଦ ହୋଇଛନ୍ତି । ସେ ମଧ୍ୟ ଥରେ ବିଧାୟକ ଏବଂ ଥରେ ଏମ୍‌ଏଲ୍‌ସି ଥିଲେ । କର୍ଣ୍ଣାଟକ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି । ଶକ୍ତି, ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତ ରାଜ ପରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବରେ ସେ ରହିଛନ୍ତି। ଦୀର୍ଘ ୩ ଦଶନ୍ଧି ଧରି ସାର୍ବଜନୀନ ଜୀବନରେ ସକ୍ରିୟ ଅଛନ୍ତି ।

ଦର୍ଶନ ବିକ୍ରମ ଜରଦୋଶ (୬୦) – 

ସୁରଟ ଲୋକସଭା‌ ସାଂସଦ ଦର୍ଶନ ବିକ୍ରମ ଜରଦୋଶ ତୃତୀୟ ଥର ପାଇଁ ସାଂସଦ ଭାବେ କାର୍ଯ୍ୟକାଳରେ ରହିଛନ୍ତି। ସେ ମଧ୍ୟ ସୁରଟ ପୌର ନିଗମ ଏବଂ ଗୁଜରାଟ ସମାଜ ବିକାଶ ବୋର୍ଡର ଜଣେ ସଦସ୍ୟ । ଦୀର୍ଘ ୪ ଦଶନ୍ଧି ଧରି ସେ ରାଜନୀତିରେ ସକ୍ରିୟ ରହିଛନ୍ତି । ଏକ ସାଂସ୍କୃତିକ ଅନୁଷ୍ଠାନର ସେ ନିର୍ଦ୍ଦେଶିକା । କେପି କମର୍ସ‌୍ କଲେଜ୍‌ରୁ ବିକମ୍‌ କରିଛନ୍ତି ।

ମିନାକ୍ଷୀ ଲେଖି (୫୧) – 

ଦିଲ୍ଲୀର ପ୍ରମୁଖ ବିଜେପି ନେତ୍ରୀ ମିନାକ୍ଷୀ ଲେଖି ସାଂସଦ ଭାବେ ଦ୍ବିତୀୟ ଥର କାର୍ଯ୍ୟକାଳରେ ରହିଛନ୍ତି । ସେ ମଧ୍ୟ ଏନ୍‌ଡିଏମ୍‌ସି (ନୂଆଦିଲ୍ଲୀ ପୌର ନିଗମ)ର ଜଣେ ସଦସ୍ୟ । ‌ସେ ସୁପ୍ରିମକୋର୍ଟର ଆଇନଜୀବୀ ।

ଅନ୍ନପୂର୍ଣ୍ଣା ଦେବୀ (୫୧) – 

ଝାଡ଼ଖଣ୍ଡ କୋଡ଼ର୍ମା ସାଂସଦ ପ୍ରଥମ ଥର ପାଇଁ ସାଂସଦ ଭାବେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଝାଡ଼ଖଣ୍ଡ ଏବଂ ବିହାରରେ ସେ ୪ ଥର ବିଧାୟକ ହୋଇଛନ୍ତି। ଝାଡ଼ଖଣ୍ଡ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ଜଳସେଚନ, ମହିଳା ଏବଂ ଶିଶୁ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବରେ ସେ ରହିଥିଲେ । ୩୦ ବର୍ଷ ବୟସରେ ସେ ବିହାର ସରକାରରେ ମନ୍ତ୍ରୀ ହୋଇଥିଲେ। ରାଞ୍ଚି ବିଶ୍ବବିଦ୍ୟାଳୟ‌ରୁ ସେ ଇତିହାସରେ ଏମ୍‌ଏ କରିଛନ୍ତି ।

ସୁଶ୍ରୀ ପ୍ରତିମା ଭୌମିକ (୫୨) –

ତ୍ରିପୁରା ପଶ୍ଚିମର ଲୋକସଭା ସାଂସଦ ଭୌମିକ ପ୍ରଥମ ଥର ସାଂସଦ ହୋଇଛନ୍ତି । ସେ ଗରିବ ପରିବାରରୁ ଆସିଛନ୍ତି ଏବଂ କୃଷିକାର୍ଯ୍ୟ କରୁଥିଲେ । ତ୍ରିପୁରା ବିଶ୍ବବିଦ୍ୟାଳୟରେ ସେ ବାୟୋ ସାଇନ୍ସରେ ଗ୍ରାଜୁଏଟ୍ ଡିଗ୍ରି ହାସଲ କରିଛନ୍ତି ।

ଭାରତୀ ପ୍ରବୀଣ ପାୱାର (୪୨) –

ମହାରାଷ୍ଟ୍ରର ଦିନ୍ଦୋରି ଲୋକସଭା ସାଂସଦ ଭାରତୀ ପ୍ରବୀଣ ପାୱାର ପ୍ରଥମ ଥର ସାଂସଦ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି । ନାଶିକ ଜିଲା ପରିଷଦ ସଦସ୍ୟ ଥିଲେ । କୁପୋଷଣ ହଟାଇବା ଦିଗରେ ଏବଂ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିଛନ୍ତି । ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସେ ଜଣେ ଡାକ୍ତର ଥିଲେ । ଏନ୍‌ଡିଏମ୍‌ଭିପିଏସ୍‌ ମେଡିକାଲ୍‌ରୁ ସେ ସର୍ଜରିରେ ଏମ୍‌ବିବିଏସ୍‌ ଡିଗ୍ରି ହାସଲ କରିଛନ୍ତି ।