କନକ ବ୍ୟୁରୋ : ଦେଶରେ କରୋନା ମିଟର ଉପରମୁହାଁ । ଦ୍ରୁତ ସଂକ୍ରମଣ ଭୟ ବଢ଼ାଉଥିବା ବେଳେ ଗତ ୨୪ ଘଂଟା ମଧ୍ୟରେ ଆସିଥିବା ୨୫ ହଜାର ୩୨୦ ନୂଆ ମାମଲାରୁ ୮୭ ଦଶମିକ ୭୩ ପ୍ରତିଶତ କେବଳ ୭ ରାଜ୍ୟର ବୋଲିି ଜଣାପଡ଼ିଛି । ଏହି ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ।
ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏହାର ପଛକୁ କେରଳ ରହିଛି । କେରଳରେ ୨ହଜାର ୩୫ ମାମଲା ଚିହ୍ନଟ ହୋଇଛି । ପଂଜାବରେ ୧୫ଶହ ୧୦ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଦେଶରେ ଆଜି ୧୪ଟି ରାଜ୍ୟରେ କୌଣସି କରୋନା ମୃତ୍ୟୁ ହୋଇନଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହି ରାଜ୍ୟଗୁଡ଼ିକ ହେଲା ରାଜସ୍ଥାନ, ଝାଡ଼ଖଣ୍ଡ, ପୁଡୁଚେରୀ, ଲକ୍ଷାଦ୍ୱୀପ, ମେଘାଳୟ, ଡାମନ ଓ ଡିୟୁ, ଦାଦ୍ରା ଓ ନଗର ହାବେଳି, ନାଗାଲାଣ୍ଡ, ତ୍ରିପୁରା, ସିକିମ୍, ଲଦାଖ, ମଣିପୁର, ମିଜୋରାମ, ଆଣ୍ଡାମାନ ଓ ନିକୋବର ଆଇଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ।
ଇତି ମଧ୍ୟରେ ଦେଶରେ ଟିକା କରଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୩କୋଟି ଲୋକ ଟିକା ନେଲେଣି । ଦେଶରେ ୭୩ ଲକ୍ଷ ୪୭ ହଜାର ୮୯୫ ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ୧୧ ଲକ୍ଷ ୩୫ ହଜାର ୫୭୩ ଜଶ ଆଗଧାଡ଼ିର କର୍ମୀ ଟିକା ନେଇଛନ୍ତି । ୪୫ ବର୍ଷରୁ ଅଧିକ ୧୪ ଲକ୍ଷ ୪୦ ହଜାର୯୨ ଜଣ ହିତାଧିକାରୀ ଟିକା ନେଇଥିବା ବେଳେ ୮୧ ଲକ୍ଷ ୮୭ ହଜାର ୭ଜଣ ବରିଷ୍ଠ ନାଗରିକ ପ୍ରଥମ ଡୋଜ ଟିକା ନେଇଛନ୍ତି ।