ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି: ଆଜି ୭ ଆକ୍ରାନ୍ତଙ୍କ ଭିତରୁ ବାସୁଦେବପୁରର ୩ ଏବଂ ଭଣ୍ଡାରୀପୋଖରୀର ୨ ଜଣ ଚିହ୍ନଟ; ଜିଲ୍ଲାର ୫ ପ଼ଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା

463

କନକ ବ୍ୟୁରୋ: ଗତକାଲି ରାଜ୍ୟରେ ପରୀକ୍ଷଣ ହୋଇଥିବା ନମୂନା ମଧ୍ୟରୁ ୭ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣ କେବଳ ଭଦ୍ରକୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୨ ଜଣ ବାଲେଶ୍ୱର ଜିଲ୍ଲାର ଅଛନ୍ତି । ତେବେ ସମସ୍ତ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନୂଆ ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି । ବଡ କଥା ହେଉଛି ପୂର୍ବରୁ ଜିଲ୍ଲାରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୫ ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ପୂର୍ବରୁ ୨ ସୁସ୍ଥ ହୋଇଛନ୍ତି।

ଅନ୍ୟପଟେ ଭଦ୍ରକରେ ନୂଆ ୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ୫ଟି ପଂଚାୟତକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଗୋଟିଏ ଦିନରେ ବାସୁଦେବପୁରରେ ୩ ଓ ଭଣ୍ଡାରୀପୋଖରୀରେ ୨ ପଜିଟିଭ୍ ଚିିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସିଲ କରାଯାଇଛି । ଭଣ୍ଡାରୀପୋଖରୀର ରହଣିଆ, ତେସିଙ୍ଗା ପଂଚାୟତର କିଛି ଅଂଚଳକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଏପ୍ରିଲ ମାସର ୨, ୮, ୧୨, ୧୫, ୧୬ ଓ ୧୭ତାରିଖରେ ଜଣେ ହେଲେ କରୋନା ସଂକ୍ରମିତ ଚିହ୍ନଟ ହୋଇ ନଥିଲେ। ୨ତାରିଖରେ ୨୧୩ ନମୁନା ପରୀକ୍ଷା ହୋଇଥିବା ବେଳେ ୮ତାରିଖରେ ୪୦୦, ୧୨ତାରିଖରେ ୩୦୮, ୧୫ତାରିଖରେ ୧୧୯୭, ୧୬ତାରିଖରେ ୮୪୩ ଓ ୧୭ ତାରିଖରେ ୧୦୪୨ ନମୁନା ପରୀକ୍ଷା ହୋଇଥିଲା। ସେହିପରି ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ସର୍ବାଧିକ ୧୭ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨୯ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି। କଟକ ଓ ପୁରୀରେ ଜଣେ ଲେଖାଏ ସୁସ୍ଥ ହୋଇଥିବା ବେଳେ ଯାଜପୁରରେ ଦୁଇ ଜଣରୁ ଜ‌ଣେ, ଭଦ୍ରକରେ ୩ଜଣରୁ ୨ଜଣ, ସୁନ୍ଦରଗଡ଼ ଓ କଳାହାଣ୍ଡିରେ ଦୁଇ ଜଣରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଢେଙ୍କାନାଳ, ବାଲେଶ୍ବରର ଜଣେ‌ ଲେଖାଏ ଓ କେନ୍ଦ୍ରାପଡ଼ାର ୨ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।