କନକ ବ୍ୟୁରୋ : ଷଷ୍ଠ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଷଷ୍ଠ ପର୍ଯ୍ୟାୟରେ ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଘୋଷିତ ୯ ଆସନ ମଧ୍ୟରୁ ୮ ଆସନରେ ପ୍ରାର୍ଥୀ ବଦଳାଇଛି ଦଳ । ସବୁଠୁ ରୋଚକ ଦିଗଟି ହେଉଛି, ୯ ଆସନ ମଧ୍ୟରୁ ୨ ଆସନକୁ ଛାଡିଦେଲେ ଅନ୍ୟ ୭ ଆସନରେ ନୂଆ ମୁହଁକୁ ମୈଦାନକୁ ଓହ୍ଲାଇଛି ବିଜେଡି ।

Advertisment

କରଞ୍ଜିଆ ଓ ଚିଲିକା ଆସନକୁ ଛାଡିଦେଲେ ଅନ୍ୟ ୭ ଆସନରେ ନୂଆ ମୁହଁକୁ ପ୍ରାର୍ଥୀ କରିଛି ବିଜେଡି । ଚମ୍ପୁଆରୁ ସନାତନ ମହାକୁଡଙ୍କୁ ବିଜେଡି ପ୍ରାର୍ଥୀ କରିଛି । ଯେହେତୁ ସନାଙ୍କର ଚମ୍ପୁଆ ସମେତ କେନ୍ଦୁଝର ରାଜନୀତିରେ ପ୍ରଭାବ ରହିଛି ତେଣୁ ତାଙ୍କୁ ପ୍ରାର୍ଥୀ କରି କେନ୍ଦୁଝରରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି ବିଜେଡି । ସେହିଭଳି ବଡଚଣାରୁ ଆଶ୍ଚର୍ଯ୍ୟଜନକ ଭାବେ ବର୍ଷା ପ୍ରିୟଦର୍ଶିନୀଙ୍କୁ ମୈଦାନକୁ ଓହ୍ଲାଇଛି । ମାତ୍ର ୨ ଦିନକ ପୂର୍ବରୁ ବର୍ଷା ବିଜେଡିରେ ସାମିଲ ହୋଇଥିଲେ । ଏହି ବଡଚଣା ଆସନରେ ହେଭିୱେଟ ଅମର ଶତପଥୀଙ୍କ ଟିକେଟ କାଟିଛି ଦଳ । ସେହିଭଳି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଗଣେଶ୍ୱର ବେହେରାଙ୍କୁ ଦଳ କେନ୍ଦ୍ରାପଡା ମୈଦାନକୁ ଓହ୍ଲାଇଛି । ଏହି ଆସନରେ ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକେଟ କାଟିଛି ବିଜେଡି । ସେହିଭଳି ସିମୁଳିଆ, ରେମୁଣା, ସାରସକଣା ଓ ଆନନ୍ଦପୁରରେ ନୂଆ ଚେହେରାଙ୍କ ଉପରେ ଭରସା କରିଛି ଦଳ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଏହାପୂର୍ବରୁ ବିଜେଡି ବହିଷ୍କୃତ କରିଥିଲା । ତେଣୁ ତାଙ୍କ ସ୍ଥାନରେ ମହିଳା ଚେହେରା ଭାବେ ବିଦ୍ୟାସ୍ମିତା ମହାଳିକଙ୍କୁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ନବୀନ । ଘୋଷିତ ୯ ଆସନରୁ ୪ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି ବିଜେଡି ।