କନକ ବ୍ୟୁରୋ: ଭଦ୍ରକରେ ଆଜି ଚିହ୍ନଟ ହୋଇଥିବା ୨ ନୂଆ ଆକ୍ରାନ୍ତ ସଂପର୍କରେ ତଥ୍ୟ ଦେଲା ଜିଲ୍ଲା ପ୍ରଶାସନ । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ତେବେ ଏମାନଙ୍କ ମଧ୍ୟରୁ ବାସୁଦେବପୁର ପୌରାଂଚଳରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟଜଣେ ଆକ୍ରାନ୍ତ ଧାମନଗର ବ୍ଲକ ଅଂଚଳର ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ । ତେବେ ଆଜି ପଜିଟିଭ ଚିହ୍ନଟ ଆକ୍ରାନ୍ତ କ୍ୱାରେନଟିନ୍ ସେଂଟରରେ ରହିଥିଲେ ।
ଅନ୍ୟପଟେ, କେନ୍ଦ୍ରାପଡାରେ ଆଜି ଚିହ୍ନଟ ହୋଇଥିବା ୫ ନୂଆ ଆକ୍ରାନ୍ତଙ୍କର ସୁରତ ଲିଙ୍କ ରହିଥିବା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ । ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଏମାନେ ସମସ୍ତେ ଗୋଟିଏ ବସରେ ସୁରତରୁ ଆସିଥିଲେ ଆଉ କ୍ୱାରେଂଟିନରେ ରହିଥିଲେ । ତେବେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟମୁଣ୍ଡାଇ, ମହାକାଳପଡା, ମାର୍ଶାଘାଇ ଅଚଂଳର ହୋଇଥିବା କେନ୍ଦ୍ରାପଡା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ରାଜ୍ୟରେ ଆଉ ୨୬ କରୋନା ଆକ୍ରାନ୍ତ ଚିହ୍ନଟ । ଗଂଜାମର ୧୯, କେନ୍ଦ୍ରାପଡାରୁ ୫ ଓ ଭଦ୍ରକରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ମୋଟ ଆକ୍ରାନ୍ତ ସଂଖ୍ୟା ୨୪୫କୁ ବୃଦ୍ଧି । ସମସ୍ତ ଆକ୍ରାନ୍ତ କ୍ୱାରେନଟିନ୍ ସେଂଟରରେ ରହୁଥିଲେ । ରାଜ୍ୟରେ ଏବେ ୧୮୧ଟି ଆକ୍ଟିଭ ମାମଲା ରହିଛି । ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆକ୍ରାନ୍ତମାନେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗଂଜାମର ୧୯ ନୂଆ ଆକ୍ରାନ୍ତଙ୍କୁ ନେଇ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୪୭ରେ ପହଂଚିଛି । ସେହିପରି କେନ୍ଦ୍ରାପଡା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଛୁଇଁଛି । ଜିଲ୍ଲାରେ ଆଗରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।