କନକ ବ୍ୟୁରୋ : ଚିତ୍ରକୋଣ୍ଡାରେ ଡଙ୍ଗା ବୁଡି ୭ ନିଖୋଜ, ଜଣେ ମୃତ । ଆନ୍ଧ୍ରରୁ ଫେରୁଥିବା ବେଳେ ସିଲେରୁ ନଦୀରେ ବୁଡିଲା ଡଙ୍ଗା । ଗୁଣ୍ଡାବେଡା ପଞ୍ଚାୟତର କନ୍ଧଗୁଡାରେ ଦୁଇଟି ଡଙ୍ଗା ବୁଡିଲା । ଜଣେ ତିନି ବର୍ଷର ଝିଅର ମୃତଦେହ ମିଳିଥିବା ସୂଚନା । ତିନି ଜଣ ପହଁରି ପହଁରି କୂଳରେ ଲାଗିଲେ ।

Advertisment

ସୂଚନାନୁସାରେ, ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଶ୍ରମିକ ତେଲେଙ୍ଗାନାରୁ ଫେରୁଥିଲେ । କରୋନା କଟକଣା ପାଇଁ ଦିନରେ ଫେରି ନଥିଲେ । ତେଣୁ ରାତିରେ ଫେରିବା ଯୋଜନା ମୁତାବକ ଦଶ ଜଣଙ୍କ ସହ ଜଣେ ତିନିବର୍ଷର ଛୋଟ ପିଲା ଦୁଇଟି ଦେଶୀ ମାଛ ଧରା କାଠ ଡଙ୍ଗାରେ ଓଡିଶା ମୁହାଁ ହୋଇଥିଲେ । ପ୍ରଥମ ଡ଼ଙ୍ଗାଟି ନଦୀ ଭିତରେ ଥିବା ଏକ ଖୁଣ୍ଠରେ ବାଡେଇ ହୋଇ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା l

ପ୍ରଥମ ଡ଼ଙ୍ଗାରେ ଥିବା ଛଅ ଜଣ ଲୋକ କିଛି ସମୟ ପହଁରି ପହଁରି ପଛ ଡଙ୍ଗାରେ ଚଢିବାକୁ ଚେଷ୍ଟା କରିଥିଲେ l ଡ଼ଙ୍ଗାଟି ଛୋଟ ଥିବାରୁ ଦୁଇଟି ଡଙ୍ଗାର ଲୋକ ଗୋଟିଏ ଡଙ୍ଗାରେ ପଳାଇ ଆସିବାକୁ ଚେଷ୍ଟା କରୁଥିବା ବେଳେ, ଦ୍ୱିତୀୟ ଡ଼ଙ୍ଗାଟି ଭାରସାମ୍ୟ ହରାଇ ଓଲଟି ଯାଇଥିଲା । ତିନି ଗ୍ରାମବାସୀ ପହଁରି ପହଁରି କନ୍ଧଗୁଡ଼ା ଘାଟରେ ପହଁଚିଥିଲେ । ପରେ ଗ୍ରାମବାସୀମାନେ ଖବର ପାଇ ନଦୀ ଘାଟରେ ପହଂଚି ଖୋଜାଖୋଜି ଆରମ୍ଭ କରିଥିଲେ ।  ତିନି ବର୍ଷର ଝିରର ମୃତଦେହ ମିଳିଥିବା ବେଳେ ସାତ ଜଣ ନିଖୋଜ ଅଛନ୍ତି, ସେମାନଙ୍କୁ ଖୋଜାଖୋଜି ଜାରି ରହିଛି l