ପିପିଲି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡିର ହେଭିୱେଟ ନେତା । ରୁଦ୍ରଙ୍କ ପାଇଁ ପ୍ରଚାର କରିବେ ନବୀନଙ୍କ ସମେତ ୭ ମନ୍ତ୍ରୀ ଓ ୧୬ ବିଧାୟକ । 

561
କନକ ବ୍ୟୁରୋ : ପିପିଲି ଗଡକୁ ବଞ୍ଚାଇବାକୁ ଏବେ ଜୋର ଲଗାଇଛି ବିଜେଡି । ମହାରଥୀଙ୍କ ପୁଅ ରୁଦ୍ରଙ୍କୁ ପିପିଲି ଲଢେଇରେ ଯୋଦ୍ଧା ଭାବେ ସାମ୍ନାକୁ ଆଣିଛି ଦଳ । ଦିନ ବିତିବା ସହ ପିପିଲି ଲଢେଇ ରୋଚକ ହେଉଥିବା ବେଳେ ରୁଦ୍ରଙ୍କ ପାଇଁ ଦଳୀୟ ସୁପ୍ରିମୋ ନବୀନଙ୍କ ସହ ୨୯ ଜଣ ଅଭିଜ୍ଞ ଓ ଅନୁଭବୀ ନେତା ପ୍ରଚାର ମୈଦାନକୁ ଓହ୍ଲାଇବେ  । ବିଜେପି ଏଠାରେ କଡା ଟକ୍କର ଦେଉଥିବାରୁ ପିପିଲିକୁ ହାଲୁକାରେ ନେଉନାହିଁ ଦଳ । ତେଣୁ ପିପିଲି ପାଇଁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ୭ ମନ୍ତ୍ରୀ, ୧୬ ବିଧାୟକ ଓ ୨ ସାଂସଦଙ୍କୁ ସାମିଲ କରିଛି ଦଳ ।
୭ ମନ୍ତ୍ରୀଙ୍କ ମଧ୍ୟରେ ବରିଷ୍ଠ, ଯୁବ ଓ ମହିଳା ମନ୍ତ୍ରୀଙ୍କୁ ସାମିଲ କରାଯାଇଛି । ଯେଉଁ ବରିଷ୍ଠ ମନ୍ତ୍ରୀଙ୍କୁ ପ୍ରଚାର ଦାୟିତ୍ୱ ଦିଆଯାଇଛି ସେମାନଙ୍କ ନିକଟରେ ନିର୍ବାଚନ ପରିଚାଳନାରେ ଯଥେଷ୍ଟ ଅଭିଜ୍ଞତା ରହିଛି । ସେହିଭଳି ମହିଳା ଓ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଟୁକୁନି ସାହୁ, ସୁଶାନ୍ତ ସିଂ ଓ ତୁଷାରକାନ୍ତି ବେହେରାଙ୍କୁ ସାମିଲ କରାଯାଇଛି । ସେହିଭଳି ଯେଉଁ ୧୬ ବିଧାୟକଙ୍କୁ ପ୍ରଚାର ମୈଦାନକୁ ଦଳ ଓହ୍ଲାଇବାକୁ ନିଷ୍ପତି ନେଇଛି ସେମାନଙ୍କ ମଧ୍ୟରେ ପ୍ରଣବ ପ୍ରକାଶ ଦାସ, ଦେବୀ ମିଶ୍ର ଓ ପ୍ରତାପ ଦେବଙ୍କ ଭଳି କ୍ରାଇସିସ ମ୍ୟାନେଜର ରହିଛନ୍ତି । ଏହାଛଡା ଜିଲ୍ଲାର ଦୁଇ ହେଭିୱେଟ ନେତା ସଞ୍ଜୟ ଦାସବର୍ମା ଓ ମହେଶ୍ୱର ମହାନ୍ତିଙ୍କୁ ମଧ୍ୟ ଦଳ ପ୍ରଚାରର ମଙ୍ଗ ଧରାଇ ପିପିଲି ବାଜି ଜିତିବାକୁ ଲକ୍ଷ୍ୟ ରଖିଛି ।
କିନ୍ତୁ ଷ୍ଟାର ପ୍ରଚାରକ ତାଲିକାରୁ ଦୁଇ ଅଭିଜ୍ଞ ମନ୍ତ୍ରୀ ଅରୁଣ ସାହୁ ଓ ପ୍ରତାପ ଜେନାଙ୍କୁ ବାଦ୍ ଦିଆଯାଇଛି । ପରୀ ଓ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଏହି ଦୁଇ ମନ୍ତ୍ରୀ ବିବାଦ ଘେରକୁ ଟାଣି ହୋଇ ଆସିଥିବାରୁ ଷ୍ଟାର ପ୍ରଚାରକ ତାଲିକାରୁ ଦୂରେଇ ରଖାଯାଇଥିବା ଚର୍ଚ୍ଚା ହେଉଛି । ଷ୍ଟାର ପ୍ରଚାରକ ତାଲିକାରେ ଥିବା ଅନ୍ୟ ନେତା ପିପିଲି ପ୍ରଚାର ମୈଦାନରେ ପହଞ୍ଚିଥିବା ବେଳେ ନବୀନ କେବେ ରୁଦ୍ରଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।