କନକ ବ୍ୟୁରୋ: କେନ୍ଦ୍ରାପଡ଼ା ରାଜକନିକାରୁ ସାମ୍ନାକୁ ଆସିଛି ଦାଦନ ଯନ୍ତ୍ରଣା । ଟଙ୍କା ରୋଜଗାର ଆଶାରେ ବିଦେଶରେ ବନ୍ଧା ପଡ଼ିଛନ୍ତି ୭ ଜଣ ଦାଦନ ଶ୍ରମିକ । ରାଜକନିକା ଅଞ୍ଚଳର ୭ ଜଣ ଶ୍ରମିକ ଥାଇଲାଣ୍ଡ ଯାଇଥିବା ବେଳେ ସେଠାରେ ମିଳୁଛି ଅକଥନିୟ ନିର୍ଯାତନା। ଭିସା ସରି ଯାଥିବାରୁ ଗିରଫ କରିବାକୁ ପୋଲିସ ଖୋଜୁଛି । ଆଉ ପୋଲିସଠାରୁ ବଞ୍ଚିବାକୁ ଜଙ୍ଗଲରେ ଲୁଚୁଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ । ସିକୁଡି ଗାଁର ଦୁଇ ଭାଇ ଅମୀୟ ନାୟକ ଓ ଅଶୋକ, ଶିଳପୋଖରୀ ଗାଁର ସଞ୍ଜୟ ପଳାଇ, ପଞ୍ଚୁପଲ୍ଲୀ ଗାଁର ସନାତନ ରାଉତ, ଜଗନ୍ନାଥ ରାଉତ ଓ ପଟ୍ଟାମୁଣ୍ଡାଇ ବ୍ଲକର ଅଶୋକ ସେଠୀ ଥାଇଲାଣ୍ଡରେ ଫସି ରହିଛନ୍ତି । ନାଁ ଟଙ୍କା ମିଳୁଛି ନା ଘରକୁ ଫେରିପାରୁଛନ୍ତି । ଭୋକ ଉପାସରେ ପଡ଼ି ରହିଛନ୍ତି ୭ ଜଣ ଓଡ଼ିଆ ଶ୍ରମିକ । ଭିସା ବଢ଼ାଇବା କଥା କହିଲେ କିମ୍ବା ଟଙ୍କା ମାଗିଲେ ପୋଲିସ ଲଗାଇ ଗିରଫ କରିବାକୁ ଧମକ ଦେଉଛି କମ୍ପାନୀ ମଲିକ । ତେଣୁ ଭିଡିଓ କରି ସହାୟତା ପାଇଁ ପରିବାର ଲୋକଙ୍କୁ ନିବେଦନ କରିଛନ୍ତି ଶ୍ରମିକମାନେ । ସେପଟେ ପୁଅ ମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ପୂରା ପରିବାର । ପୁଅର ଫଟୋ ଧରି ଗୁମୁରି ଗୁମୁରି କାନ୍ଦୁଛନ୍ତି ବୁଢ଼ା ବାପା ମାଆ । ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ରହି ସ୍ତ୍ରୀଙ୍କ ଆଖିରୁ ମଧ୍ୟ ଲୁହ ଶୁଖୁନି । ଏନେଇ ପରିବାର ପକ୍ଷରୁ ରାଜକନିକା ଥାନାରେ ଏତଲା ଦିଆଯାଇଛି । ତୁରନ୍ତ ସହାୟତା ଯୋଗଇଦେବା ସହ ସମସ୍ତଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି ଦାଦନଙ୍କ ପରିବାର ଲୋକେ ।