ସଂସଦରେ ସକ୍ରିୟ ନାହାନ୍ତି ସାତ ସାଂସଦ । ସୁପ୍ରିମୋଙ୍କ ହାତରେ ଲାଗିଲା ପ୍ରଦର୍ଶନ ରିପୋର୍ଟ କାର୍ଡ । ତାଗିଦ୍ କଲେ, ଏହାର ପୁନରାବୃତ୍ତି ନହେବାକୁ ଚେତାବନୀ ଦେଲେ ।

2,432

କନକ ବ୍ୟୁରୋ: ସାଂସଦଙ୍କ ଉପରେ ବିଜେଡି ସପ୍ରିମୋଙ୍କ ନଜର । ସଂସଦ ଗୃହର ବିତର୍କରେ ଖରାପ ପ୍ରଦର୍ଶନ କରିଛନ୍ତି ୭ ସାଂସଦ । ଲୋକସଭାରୁ ୬ ଏବଂ ରାଜ୍ୟସଭାରୁ ୭ ସାଂସଦଙ୍କ ପ୍ରଦର୍ଶନ ଖରାପ ନେଇ ଏକ ରିପୋର୍ଟ ବିଜେଡି ସୁପ୍ରିମୋ ନବୀନ ପଟ୍ଟାନୟକଙ୍କ ହସ୍ତଗତ ହୋଇଛି । ଆଉ ଏହାପରେ ସୁପ୍ରିମୋଙ୍କ ସ୍କାନରରେ ରହିଛି ଏହି ୭ ସାଂସଦ । ତେବେ ଏହି ତାଲିକାରେ ରହିଛନ୍ତି…

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ

ଆସିକା ସାଂସଦ ପ୍ରମିଳା ବିଶୋୟୀ

ଜଗତସିଂହପୁର ସାଂସଦ ରାଜଶ୍ରୀ ମିଲ୍ଲିକ

ଯାଜପୁର ସାଂସଦ ସର୍ମିଷ୍ଠା ସେଠୀ

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ

କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ

ଏବଂ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ  

ଏହି ୭ ସାଂସଦ ଉଭୟ ଲୋକସଭା ଏବଂ ରାଜ୍ୟସଭାର ବିତର୍କରେ କମ୍ ଭାଗ ନେଉଥିବାବେଳେ ସଂସଦ ଗୃହରେ ସକ୍ରିୟ ନଥିବା ରିପୋର୍ଟ ସୁପ୍ରିମଙ୍କ ନଜରକୁ ଆସିଛି । ଏପରିକି ଏମାନଙ୍କୁ ସୁପ୍ରିମୋ ତାଗିଦ୍ ମଧ୍ୟ କରିଥିବା ଜଣାପଡ଼ିଛି । ଯେଉଁ ମହିଳା ମାନଙ୍କୁ ରାଜ୍ୟର ବିଭିନ୍ନ ସଂସଦୀୟ କ୍ଷେତ୍ରରୁ ନେତୃତ୍ୱ ଦେଇ ଓଡ଼ିଶାର ସ୍ୱାର୍ଥରକ୍ଷା ପାଇଁ ସ୍ୱର ଉଠାଇବାକୁ ସଂସଦକୁ ପଠାଇଲେ, ସେଠାରେ ସେମାନଙ୍କ ପ୍ରଦର୍ଶନ ଏବେ ସୁପ୍ରିମୋଙ୍କ ଚିନ୍ତା ବଢ଼ାଇଛି । ଏପରିକି ନବୀନ ନିବାସରେ ମହିଳା ସାଂସଦ ମାନଙ୍କୁ ସୁପ୍ରିମୋ ବ୍ୟକ୍ତିଗତ ଭାବେ ତାଗିଦ୍ କରିଥିବା ଶୁଣିବାକୁ ମିଳୁଛି ।

ସବୁଠାରୁ ବଡ଼କଥା ହେଲା, ବିଜେଡି ୫ଥର ପାଇଁ କ୍ଷମତାକୁ ଆସିବା ପରେ ରାଜ୍ୟର ଉନ୍ନତି ସହ ଜନତାଙ୍କ ସମସ୍ୟାର ସମାଧାନ କିଭଳି ଶୀଘ୍ର ହୋଇପାରିବ ସେନେଇ ଗୁରୁତ୍ୱ ଦେଉଛନ୍ତି ଦଳର ମୁଖିଆ ନବୀନ ପଟ୍ଟନାୟକ । ତେଣୁ କେନ୍ଦ୍ରରୁ ସ୍ୱର ଉଠାଇବା ପାଇଁ ସାଂସଦ ମାନଙ୍କୁ ଅଧିବେଶନ ଆରମ୍ଭ ପୂର୍ବରୁ ମନ୍ତ୍ରଣା ଦେଇଥାନ୍ତି ନବୀନ । ଏପରିକି ଲୋକସଭାରେ କେମିତି ଅଛି ସାଂସଦଙ୍କ ପ୍ରଦର୍ଶନ ? କେଉଁ ସାଂସଦ ପ୍ରଶ୍ନତ୍ତୋରେ ସାମିଲ ହେଉଛନ୍ତି ? କେଉଁ ସାଂସଦ ସବୁଠୁ ପଛରେ  ? କେଉଁ ସାଂସଦ ସବୁଠାରୁ ଅଧିକ ବିତର୍କରେ ଭାଗ ନେଇଛନ୍ତି ? ଏବଂ କେଉଁ ସାଂସଦ ସବୁଠାରୁ ଅଧିକ ପ୍ରଶ୍ନ କରିଛନ୍ତି? ଏବଂ କିଏ ଲୋକସଭାରେ ଆଦୌ ସକ୍ରିୟ ନୁହନ୍ତି ? ଏସବୁ ଉପରେ କଡ଼ା ନଜର ରଖିଥାନ୍ତି ସୁପ୍ରିମୋ । ଆଉ ପୂର୍ବରୁ ସାଂସଦଙ୍କ ପ୍ରଦର୍ଶନ ରିପୋର୍ଟ କାର୍ଡ ୨ ମାସ ଭିତରେ ଦେବାକୁ ସମସ୍ତ ସାଂସଦଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ନବୀନ । କିନ୍ତୁ ବର୍ତ୍ତମାନ ଏହି ୭ ସାଂସଦଙ୍କ ସଂସଦୀୟ ପ୍ରଦର୍ଶନ ରିପୋର୍ଟ ଏତେ ଖରାପ ରହିଛି କି ଯାହା ସୁପ୍ରିମୋଙ୍କ ମୁଣ୍ଡବ୍ୟଥା ବଢ଼ାଇଛି ।

ସେପଟେ ଆଗକୁ କିଭଳି ଏହାର ପୁନରାବୃତ୍ତି ନହୁଏ ସେନେଇ ସାଂସଦ ମାନଙ୍କୁ ସତର୍କବାଣୀ ମଧ୍ୟ ଶୁଣାଇଛନ୍ତି ସୁପ୍ରିମୋ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ସାଂସଦମାନେ ସଂସଦ ଭିତରେ କିପରି ଉଦ୍ୟମ କରୁଛନ୍ତି ତା’ ଉପରେ ନଜର ରଖିବେ ଖୋଦ୍ ନବୀନ । ସଂସଦରେ ଉପସ୍ଥିତ ରହି ଅଂଶଗ୍ରହଣ କରୁଛନ୍ତି କି ନାହିଁ ତା’ ଉପରେ ମଧ୍ୟରେ ନଜର ରହିବ । ପ୍ରଶ୍ନୋତ୍ତରରେ ଭାଗ ନେଉଛନ୍ତି କି , ତାହାର ମଧ୍ୟ ଟ୍ରାକିଂ ହେବ । ଅନ୍ୟପଟେ ସଂସଦରେ ସମସ୍ତ ସାଂସଦ ଉପସ୍ଥିତ ରହି ସମସ୍ୟା ଉଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।