ସତ ହେଲା ଛତିଶଗଡ ପୁଲିସର ଆକଳନ । କରୋନାରେ ୭ ଜଣ ମାଓବାଦୀଙ୍କ ମୃତ୍ୟୁ ନେଇ ସୂଚନା

254

କନକ ବ୍ୟୁରୋ: ସତ ହେଲା ଛତିଶଗଡ ପୁଲିସର ଆକଳନ । କରୋନା ରେ ୭ ଜଣ ମାଓବାଦୀ ପ୍ରାଣ ହରାଇ ଥିବା ନେଇ ଏକ ଚିଠିରେ ଉଲ୍ଲେଖ କରିଛି ମାଓ ସଙ୍ଗଠନ । ଏହାସହ କୋରୋନା ଭୟରେ ଅନେକ ମାଓବାଦୀ ଦଳ ଛାଡି ପଳାୟନ କରୁଥିବା ମଧ୍ୟ ମାଓବାଦୀଙ୍କ ଚିଠିରେ ଲେଖା ହୋଇଛି । ସେଥିରୁ ୩ ଜଣ କ୍ୟାଡର ମାଓବାଦୀ ପୁଲିସର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ସେପଟେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ମଧ୍ୟ କିଛି ମାଓବାଦୀଙ୍କ କୋରୋନା ଲକ୍ଷଣ ଥିବା ମାଲକାନଗିରି ଏସପି କହିଛନ୍ତି । ଏପରି ସ୍ଥିତରେ ମାଓବାଦୀ ମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ସରକାରୀ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ସୁଚନା ଦେଇଛନ୍ତି ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀ ।

ଲାଲଗଡରେ କରୋନା ଆତଙ୍କ । ମାଓ ସଙ୍ଗଠନକୁ ଦୂର୍ବଳ କରୁଛି ଭୁତାଣୁ । କରୋନାରେ ୭ ମାଓବାଦୀ ମୃତ, ୩ ଟପ୍ ମାଓ ନେତା ଗୁରୁତର । କରୋନା ଓ ଫୁଡ ପଏଜନିଂରେ ମାଓବାଦୀଙ୍କ ମୃତ୍ୟୁ ନେଇ ଛତିଶଗଡ ପୁଲିସ ବାରମ୍ବାର ଦାବି କରି ଆସୁଥିବା ତା’ଉପରେ ମୋହର ମାରିଛି ମାଓବାଦୀଙ୍କ ଏହି ହାତ ଲେଖା ଚିଠି । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅନ୍ତର୍ଗତ ପଶ୍ଚିମ ଓ ଦକ୍ଷିଣ ବସ୍ତର ଏବଂ ଦରଭା ଡିଭିଜନରେ ଅଜଣା ରୋଗ ଆତଙ୍କ ସୃଷ୍ଟି କରିଥିବା ନେଇ ମାଓ ଚିଠିରେ ଉଲ୍ଲେଖ ରହିଛି । କରୋନା ଭୟରେ ବହୁ ମାଓବାଦୀ ସଂଗଠନ ଛାଡୁଥିବାରୁ ସଙ୍ଗଠନ କେମିତି ଚାଲିବ ବୋଲି ବିଜାପୁର ଜିଲ୍ଲା ପାଲନାର ମାଓ ଶିବିରରୁ ଜବତ ଏହି ହାତ ଲେଖା ଚିଠିରେ ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଛି । ତେବେ ଏହାରି ଭିତରେ ୩ ଜଣ ମାଓବାଦୀ ବିଜାପୁର କାମଟେଡା ଠାରେ ପୁଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।

ସେପଟେ ମାଲକାନଗିରି ଜିଲ୍ଲାର ମାଓବାଦୀଙ୍କର ଛତିଶଗଡ ସହ ସିଧାସଳଖ ଯୋଗାଯୋଗ ରହିଛି । ତେଣୁ ସ୍ୱାଭିମାନ ଅଂଚଳରେ କରୋନା ବ୍ୟାପିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ମାଲକାନଗିରି ଏସପି । କିଛି ମାଓବାଦୀଙ୍କ ଠାରେ ଥଣ୍ଡା, କାଶ ପରି ଲକ୍ଷଣ ଥିବା ନେଇ ଗୁଇନ୍ଦା ତଥ୍ୟ ରହିଛି । ଗ୍ରାମବାସୀମାନେ ଏବେ ମାଓବାଦୀଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ବାରଣ କରୁଥିବା ଖବର ମାଲକାନଗିରି ପୁଲିସକୁ ମିଳିଛି । ତେଣୁ ଛତିଶଗଡ ମାଓବାଦୀଙ୍କ ପରି ହଟ ହଟା ନହୋଇ ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଜୋନାଲ କମିଟିର ସଦସ୍ୟଙ୍କୁ ଆତ୍ମ ସମର୍ପଣ କରି ସରକାରୀ ଚିକିତ୍ସା ସେବାର ଲାଭ ଉଠାଇବାକୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସପି ରିଷିକେଶ କିଲ୍ଲାରୀ ।

ଗୁଳି କିମ୍ବା ବୋମା ର ଗର୍ଜନ ନୁହଁ ବରଂ ଏଥର ଲାଲଗଡ କୁ ଦୋହଲାଇ ଦେଇଛି ଅଦୃଶ୍ୟ ଭୁତାଣୁ । ଯବାନଙ୍କ ଗୁଳି ନୁହଁ ବରଂ ଏଥର ମାଓବାଦୀଙ୍କୁ ନିପାତ କରିଛି କୋରୋନା । ଘଂଚ ଜଙ୍ଗଲ ରେ ସଂଜିବଣୀ ଟିକିଏ ପାଇବା ଲାଗି ଡହଳ ବିକଳ ହୋଉଛନ୍ତି ଲାଲବାହୀନି । ଏପରି ସ୍ଥିତି ରେ ପୁଲିସ ର ଆତ୍ମସମର୍ପଣ କର ଚିକିତ୍ସା ନିଅ ଫର୍ମୁଲା କେତେ ଫଳପ୍ରଦ ହବ, ତାହା ସମୟ ସାପେକ୍ଷ ।