ଉତ୍ତରପ୍ରଦେଶ ପ୍ରତାପଗଡରେ ବିଷାକ୍ତ ମଦ ପିଇବା ଘଟଣା । ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି, ୩ ଗରୁତର । ମୁଖ୍ୟ ଅଭିଯୁକ୍ତ ସମେତ ୫ ଗିରଫ

68

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବିଷାକ୍ତ ମଦମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡଂବୁ ସିଂହକୁ ପୋଲିସ ଗିରଫ୍ କରିଛି । ପୋଲିସ ଡଂବୁ ସିଂ ସମେତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣଙ୍କୁ ବି ଗିରଫ କରିଛି । ପୋଲିସ ସେମାନଙ୍କ ଠାରୁ ଦେଢ ପେଟି ଚୋରା ମଦ ବି ଜବତ୍ କରିଛି । ଏହା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୩ ଜଣ ଫେରାର୍ ଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ଖୋଜା ଖୋଜି କରୁଛି ।

ପୋଲିସର ସୂଚନା ମୁତାବକ ମୁଖ୍ୟ ଅଭିଯୁକ୍ତ ଡଂବୁ ସିଂହ କଟରିୟା ଓ ପବନ ସିଂ ଆହଡ- ବିହଡ ଗ୍ରାମ ପ୍ରଧାନ ପଦ ପାଇଁ ଭାବି ଆଶାୟୀ । ସେମାନେ ମଙ୍ଗଳବାର ଦିନ ଏନେଇ ଏକ ନିର୍ବାଚନୀ ରାଲିର ଆୟୋଜନ କରିଥିଲେ । ଏହି ରାଲିରେ ଡଂବୁ ଓ ପବନ ନିର୍ବାଚନୀ ରାଲିରେ ଯୋଗ ଦେଇଥିବା ସମର୍ଥକ ମାନଙ୍କୁ କିଛି ଅପମିଶ୍ରିତ ମଦ ପିଇବାକୁ ଦେଇଥିଲେ । ଏହି ବିଷାକ୍ତ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି ଓ ୩ ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

ପୋଲିସ ଆହୁରି କହିଛି କି ପବନ ସିଂ ର ରାଇସ୍ ମିଲରେ ଚୋରାମଦକୁ ମହଜୁଦ କରାଯାଉଥିଲା । ଏହିଠାରୁ ଚୋରାମଦକୁ ବିଭିନ୍ନ ସ୍ଥାନକୁ ପଠାଯାଇ ବିକ୍ରି କରାଯାଉଥିଲା । ଧରାପଡିଥିବା ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଜେଲ୍ ପଠାଇ ଦେଇଥିବା କଥା କହିଛି ।

ଅନ୍ୟପଟେ କାର୍ଯ୍ୟରେ ଅବହେଳା କରିଥିବାରୁ ଅବକାରୀ ବିଭାଗର ୪ ଜଣଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ ଅଧିକାରୀମାନେ ହେଲେ ଲାଲଗଞ୍ଜ ଅବକାରୀ ଇନସ୍ପେକ୍ଟର ପ୍ରଭୂ ନାରାୟଣ, ଉଦୟପୁର ଏସଓ ରାକେଶ ପ୍ରଜାପତି, ଜଣେ ଦାରୋଗା ଓ ଜଣେ ସିପାହୀ ।