ୱେବ୍ ଚ୍ୟାନେଲର ୬ ନକଲି ସମ୍ବାଦିକ ଗିରଫ । ୨ଟି କାର, ୪ଟି ବାଇକ୍ ସହ ୩୧ ହଜାର ଜବତ । ଏକ ଘିଅ କମ୍ପାନୀ ମାଲିକଙ୍କଠାରୁ କିସ୍ତି କିସ୍ତି କରି ବଟି ଆଦାୟ କରିଥିଲେ ୧ ଲକ୍ଷ ୩୦ ହଜାର ଟଙ୍କା ।

322

କନକ ବ୍ୟୁରୋ : ୱେବ୍ ଚ୍ୟାନେଲର ସାମ୍ବାଦିକଙ୍କୁ ମହଙ୍ଗା ପଡିଲା ଦାଦାବଟି ମାଗିବା । ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା କମିଶନରେଟ୍ ପୋଲିସ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ତମାଣ୍ଡୋ ଥାନା ଅନ୍ତର୍ଗତ ଏକ ଘିଅ କମ୍ପାନୀ ମାଲିକଙ୍କ ସଂସ୍ଥାରେ ରେଡ୍ କରିବାର ଭୟ ଦେଖାଇ ଏମାନେ ୩ଲକ୍ଷ ଟଙ୍କା ଦାବି କରିଥିଲେ । ଏମାନେ ସମସ୍ତେ ନିଜକୁ ସାମ୍ବାଦିକ କହି, ଏକ ୱେବ୍ ଚ୍ୟାନେଲର ବୁମ ଦେଖାଇ ଟଙ୍କା ନେଇଥିଲେ । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ ପରେ ତଦନ୍ତ କରି ସାମ୍ବାଦିକଙ୍କୁ ଗିରଫ କରିଥିଲା ପୋଲିସ୍ ।

ସାମ୍ବାଦିକତାର ନାଁରେ ଖୋଲାଖୋଲି ଅପରାଧ କରୁଥିବା, ୱେବ୍ ଚ୍ୟାନେଲର ବୁମ୍ ଧରି ଟଙ୍କା ଆଦାୟ କରୁଥିବା ୬ ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ପୁଲିସ୍ । ଦୀର୍ଘ ଦିନ ଧରି ରାକେଟ୍ ଚଳାଇଥିବା ଏହି ନକଲି ସାମ୍ବାଦିକଙ୍କ ମୁଖା ସେତେବେଳେ ଖୋଲି ଯାଇଥିଲା, ଯେତେବେଳେ ଏମାନେ ଏକ ଘିଅ କମ୍ପାନୀର ମାଲିକଙ୍କୁ ଟାର୍ଗେଟ୍ କରିଥିଲେ ।

ତମାଣ୍ଡୋରେ ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ୍-ଚମକ୍ ଦେଇ, ଗୋଟିଏ ପର୍ଯ୍ୟାୟରେ ୯୯ ହଜାର ଟଙ୍କା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୩୧ ହଜାର ଟଙ୍କା ଆଦାୟ କରିଥିଲେ ଏହି ନକଲି ସାମ୍ବାଦିକମାନେ । ଏମାନଙ୍କଠାରୁ ଗାଡ଼ି, ମୋଟର ସାଇକେଲ ସହ ନଗଦ ଟଙ୍କା ଜବତ କରିଛି କମିଶନରେଟ୍ ପୁଲିସ୍ ।

ସାମ୍ବାଦିକତାର ଖୋଳପା ଭିତରେ ରହି, ଅପରାଧର ଦୋକାନ ଖୋଲିଥିବା ଏହି ନକଲି ସାମ୍ବାଦିକଙ୍କ କାର୍ଯ୍ୟାଳୟ ଉପରେ ମଧ୍ୟ ପୁଲିସ୍ ଚଢ଼ାଉ କରିଛି । ଆଉ ଯେଉଁ ଆଇ-କାର୍ଡ ଏବଂ ବୁମ୍ ଦେଖାଇ ଏବେ ଟଙ୍କା ଶୋଷଣର ବାଟ ବାହାର କରିଥିଲେ, ସେଇ ବାଟକୁ ବନ୍ଦ କରିଦେଇଛି ପୁଲିସ ।

ଡିଜିଟାଲ ଯୁଗରେ ଶହ ଶହ ୱେବ୍ ଚ୍ୟାନେଲ ଯେମିତି ପୁଲିସର ଚିନ୍ତାର କାରଣ ବଢ଼ାଇ ଦେଇଛି । ଏଭଳି ସ୍ଥିତିରେ ଯେଉଁମାନେ ଗଣମାଧ୍ୟମ ନାଁରେ ଧମକ୍-ଚମକ୍ ଦେଉଛନ୍ତି ଏବଂ ଟଙ୍କା ମାଗୁଛନ୍ତି ସେମାନଙ୍କ ସମ୍ପର୍କରେ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।