ମିଥ୍ୟା ଓ ଦେଶ ବିରୋଧରେ ଖବର ପ୍ରସାରଣ କରିବା ପଡିଲା ମହଙ୍ଗା, ୮ ଟି ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ୟାନକଲେ ସରକାର

1,043

କନକ ବ୍ୟୁରୋ : ଭାରତ ସରକାରଙ୍କ ପକ୍ଷରୁ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ସହ ମୋଟ ୮ ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଦେଇଛନ୍ତି । ଏହି ଚ୍ୟାନେଲଗୁଡିକ ଭାରତ ବିରୋଧୀ ଖବର ପ୍ରସାରଣ କରିବା ନେଇ ଜଣାପଡିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସେହି ଚ୍ୟାନେଲଗୁଡିକୁ ବ୍ୟାନ କରାଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସୂଚନା ମୁତାବକ ଏହି ଚ୍ୟାନେଲଗୁଡିକରେ ମୋଟ ୧୧୪ କୋଟି ୟୁଜର ଥିବା ବେଳେ ୮୫ଲକ୍ଷ ୭୩ ହଜାର ସବକ୍ସ୍ରାଇବର ଥିଲେ । ଏହି ଚ୍ୟାନେଲଗୁଡିକ ମାଧ୍ୟମରେ କିଛି ଅସାମାଜିକ ତତ୍ୱ ଭାରତ ବିରୋଧୀ ଖବରମାନ ପ୍ରସାରଣ କରୁଥିଲେ । ବ୍ୟାନ ହୋଇଥିବା ଚ୍ୟାନେଲଗୁଡିକ ମଧ୍ୟରେ ରହିଛନ୍ତି ଲୋକତନ୍ତ୍ର ଟିଭି, ୟୁ ଆଣ୍ଡ ବି ଟିଭି, ଏଏମ ରାଜବୀ, ଗୌରବଶାଲୀ, ପବନ ମିଥିଲାଞ୍ଚଲ, ସି ଟପ୍ ୫ ଟିଏଚ, ସରକାରୀ ଅପଟେଡ, ସବକୁଛ ଦେଖୋ ଓ ଏକ ପାକିସ୍ତାନୀ ଚ୍ୟାନେଲ ନ୍ୟୁଜ କି ଦୁନିଆ ସାମିଲ ।

 

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଇଟି ଅଧିନିୟମ ୨୦୨୧ କ୍ରମରେ ଏହି ଚ୍ୟାନେଲଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି । ୮ ଟି ୟୁଟ୍ୟୁବ ଚ୍ୟାନେଲ ବ୍ୟତୀତ ଗୋଟିଏ ଫେସବୁକ ପେଜ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ବ୍ୟାନ ହୋଇଥିବା ଚ୍ୟାନେଲଗୁଡିକ ଭାରତରେ ଧାର୍ମିକ ସମୁଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବା ଉର୍ଦ୍ଦେଶ୍ୟରେ ଖବରମାନ ପ୍ରସାରଣ କରୁଥିଲେ । ଏହାସହ ଏହି ଚ୍ୟାନେଲମାନଙ୍କରେ ଅନେକ ମିଥ୍ୟା ଖବର ପ୍ରସାରଣ ହେଉଥିବା ନେଇ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜାଣିବାକୁ ପାଇବା ପରେ ଏକ ଆକ୍ସନ ନେଇଛି ।