କନକ ବ୍ୟୁରୋ : ଚାଷ ଜମିରେ ପୁରା ଗାଁ । ଘରର ମହିଳା-ପୁରୁଷ ସମସ୍ତେ ଲାଗିଛନ୍ତି ଚାଷ କାମରେ । କିଏ ଗଛରେ ପାଣି ଦେଉଛନ୍ତି, ପୁଣି କିଏ କୋଡାକୋଡି କାମରେ ଲାଗିଛନ୍ତି । କାରଣ ଇଏ ହେଉଛି, ଏମାନଙ୍କ ଆର୍ଥିକ ମେରୁଦଣ୍ଡ । ପରିବାର ପ୍ରତିପୋଷଣର ମୂଳ ଉତ୍ସ । ଏଇ ପନିପରିବା କ୍ଷେତ ପୁରା ଗାଁକୁ କରିଛି ଲକ୍ଷପତି । ଚାଷୀ ପରିବାରକୁ ବାର୍ଷିକ ଦେଉଛି ଲକ୍ଷଲକ୍ଷ ଟଙ୍କା । ପନିପରିବା ଚାଷକୁ ନେଇ ସାରା ରାଜ୍ୟରେ ଖ୍ୟାତି ଲାଭ କରିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗାଁ ।

Advertisment

ଶିବନାରାୟଣପୁର ଗାଁରେ ୭ଶହ ପରିବାରରେ ପ୍ରାୟ ୪ ହଜାର ଲୋକ ବସବାସ କରନ୍ତି । ଗାଁରେ ପ୍ରାୟ ସମସ୍ତେ ଚାଷୀ ଶ୍ରେଣୀର । ତେଣୁ ଏଠାରେ ବ୍ୟାପକ ମାତ୍ରାରେ ପନିପରିବା ଚାଷ କରାଯାଏ  । ବାଇଗଣ, ଟମାଟୋ, ଭେଣ୍ଡି, କାକୁଡି, ଜହ୍ନି, ଗାଜର, ପୋଟଳ, କୋବି ସହିତ ବିଭିନ୍ନ ପ୍ରକାର ଶାଗ ଚାଷ କରାଯାଏ । ଆଉ ଉତ୍ପାଦିତ ପନିପରିବାକୁ ନିଜ ଅଂଚଳରେ ବିକ୍ରି କରିବା ସହ ଭଦ୍ରକ, ବାଲେଶ୍ୱର, ଯାଜପୁର, ରାଂଚି ଓ କୋଲକାତା ଭଳି ଅଂଚଳରୁ ରତ୍ପାନି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ସରକାରଙ୍କ ପକ୍ଷରୁ ଗାଁରେ ପନିପରିବା ମଣ୍ଡି ସହ ଏକ ଶୀତଳଭଣ୍ଡାର ହେଲେ ଚାଷୀମାନେ ଆହୁରି ଅଧିକ ରୋଜଗାର କରିପାରନ୍ତି ବୋଲି କହିଛନ୍ତି ।