ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ବିଶ୍ୱକପ୍ କ୍ରିକେଟ୍ର ଫାଇନାଲ ଫାଇଟ୍ । ରୋହିତ ଶର୍ମା କହିଲେ, ଭଲ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେବ ଦଳ ।

61

କନକ ବ୍ୟୁରୋ: ଆଉ କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ କ୍ରିକେଟ ବିଶ୍ୱକପର ଫାଇନାଲ ଫାଇଟ୍ । ଦିନ ୨ଟାରେ ପଡ଼ିବ ପ୍ରଥମ ବଲ । ବିଶ୍ୱ ଚାମ୍ପିୟାନ ହେବା ପାଇଁ ଲଢ଼େଇ କରିବେ ଭାରତ- ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ମୁକାବିଲାରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି ରୋହିତ ବାହିନୀଙ୍କ ପାଖରେ । ୨୦୦୩ରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଫାଇନାଲ ଖେଳିଥିଲା ଭାରତ ।

ପ୍ରଥମେ ବ୍ୟାଟିଂ କରି କଙ୍ଗାରୁ ଦଳ ଭାରତକୁ ଦେଇଥିଲା ୩୬୦ ରନ୍ର ବିଜୟ ଲକ୍ଷ୍ୟ । ଜବାବରେ ଭାରତ ୨୩୪ ରନ୍ ହିଁ କରିପାରିଥିଲା । ବୀରେନ୍ଦ୍ର ସେହୱାଗ ସର୍ବାଧିକ ୮୨ ରନ୍ କରିଥିବା ବେଳେ ଦ୍ରାବିଡ଼ ୪୭, ସଚିନ୍ ୪ ଓ ଗାଙ୍ଗୁଲି ୨୪ ରନ୍ କରିଥିଲେ । ହେଲେ ଏଥର ଭାରତୀୟ ଟିମ୍ ଜବରଦସ୍ତ ଫର୍ମରେ ରହିଛି । ଏପର୍ଯ୍ୟନ୍ତ ବିଶ୍ୱକପ୍ରେ ଅପରାଜେୟ ରହିଛି ରୋହିତ ବାହିନୀ । ତେଣୁ ୨୦୦୩ର ପ୍ରତିଶୋଧ ୨୦୨୩ରେ ନେବାକୁ ଚେଷ୍ଟା କରିବ ଭାରତ । ୨୦୦୩ରେ ବିଶ୍ୱକପ୍ରେ ଉପଅଧିନାୟକ ଥିବା ରାହୁଲ ଦ୍ରାବିଡ ଏବେ ଭାରତୀୟ ଦଳର ମୁଖ୍ୟ କୋଚ୍ । ଟିମ୍ର ଭଲ ପ୍ରଦର୍ଶନ ପଛରେ ଦ୍ରାବିଡଙ୍କର ମଧ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଭାରତ ବିଶ୍ୱକପ୍ ଜିତିଲେ ଦ୍ରାବିଡଙ୍କ ୨୦୦୩ର ଆଶା ପୂରଣ ହୋଇପାରିବ ।

ତେବେ ଆଜିର ହାଇଭୋଲଟେଜ ଫାଇନାଲ ମ୍ୟାଚ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ବିଶ୍ୱକପ ଫାଇନାଲ ପାଇଁ ପ୍ରସ୍ତୁତି ଦୁଇବର୍ଷ ତଳୁ କରିସାରିଛୁ । ଅନ୍ୟ ମ୍ୟାଚ୍ ଭଳି ଏହି ମ୍ୟାଚ୍ ଖେଳାଯିବ ।