ଖରାପ ରାସ୍ତା ଯୋଗୁଁ ଅଧାବାଟରୁ ଫେରିଲା ଶବବାହକ ଗାଡ଼ି । ୭ ଘଣ୍ଟା ଧରି ଶିମିଳିପାଳକୁ ଗାଡ଼ି ଚଳାଚଳ ବନ୍ଦ

ଗତକାଲି କେନ୍ଦୁଝରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଏକ କାର୍ ଯୋଗେ ଗୁରୁଗୁଡ଼ିଆ ପଞ୍ଚାୟତର କନ୍ଦିବିଲ ଗାଁକୁ ଅଣାଯାଉଥିଲା।

393
କନକ ବ୍ୟୁରୋ: ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପୂର୍ବ ଘୋଷଣା ମୁତାବକ ଗତକାଲି ବିଧିବଦ୍ଧ ଭାବେ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ତେବେ ଅଭୟାରଣ୍ୟର ପ୍ରବେଶ ପଥ କାଳିକା ପ୍ରସାଦଠାରୁ ଶିମିଳିପାଳର ଶେଷ ଭାଗ ଅସ୍ତକୁମର ଯାଏ ମୁଖ୍ୟରାସ୍ତା ଗମନାଗମନ ପାଇଁ ଠିକ୍ ହୋଇ ନ ଥିବା ବେଳେ କାହିଁକି ପର୍ଯ୍ୟଟନ ଗାଡ଼ିଗୁଡିକୁ ଚଳାଚଳ ପାଇଁ ଅନୁମତି ଦିଆଗଲା, ତାକୁ ନେଇ ଶିମିଳିପାଳର ବନବାସୀମାନେ ତାତି ଉଠିଥିଲେ। ପ୍ରତିବାଦ ସ୍ବରୂପ ଅଭୟାରଣ୍ୟ ଗେଟ୍ ସମ୍ମୁଖରେ ବନବାସୀମାନେ ଏକାଠି ହୋଇ ହୋହାଲ୍ଲା କରିବାରୁ ଆଜି ଶିମିଳିପାଳକୁ ୭ ଘଣ୍ଟା ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
ସୂଚନା ଅନୁସାରେ, ଗତକାଲି କେନ୍ଦୁଝରରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଏକ କାର୍ ଯୋଗେ ଗୁରୁଗୁଡ଼ିଆ ପଞ୍ଚାୟତର କନ୍ଦିବିଲ ଗାଁକୁ ଅଣାଯାଉଥିଲା। ମାତ୍ର କାଳିକାପ୍ରସାଦ ଫାଟକରେ କାର୍ଯ୍ୟରତ ବନ କର୍ମଚାରୀ ଟୁରିଷ୍ଟ ଗାଡ଼ି ଭାବି ଭିତରକୁ ଛାଡ଼ି ନଥିଲେ। ଗାଁ ଲୋକଙ୍କ ଅନୁରୋଧ ପରେ ଗାଡ଼ିକୁ ଛଡ଼ାଯାଇଥିଲା, କିନ୍ତୁ କିଛି ବାଟ ଯିବା ପରେ ରାସ୍ତା ଅବସ୍ଥା ଦେଖି କାର ଚାଳକ ଆଉ ଆଗକୁ ଯିବାକୁ ରାଜି ହୋଇ ନ ଥିଲେ। ରାସ୍ତାର ଦୁରବସ୍ଥା ଯୋଗୁଁ ଶବ ନେଇ ଯାଉଥିବା ଗାଡ଼ି ଅଧା ବାଟରୁ ଫେରିଯିବା ଏବଂ ମୃତକଙ୍କ ପରିଜନ ହଟହଟା ହୋଇଥିବା ଜାଣିବା ପରେ ଶିମିଳିପାଳ ବନବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଅଭୟାରଣ୍ୟ ମଧ୍ୟରେ ଥିବା ଗୁରୁଗୁଡ଼ିଆ, ବରେହିପାଣି ଓ ଅସ୍ତକୁମାର ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ସହସ୍ରାଧିକ ପୁରୁଷ, ମହିଳା ଚାଲି ଚାଲି ଆସି ଗେଟ୍ ପାଖରେ ଏକାଠି ହୋଇଥିଲେ ଏବଂ ବନ ବିଭାଗର କାର୍ଯ୍ୟକଳାପ ବିରୋଧରେ ବିଷୋଦଗାର୍ କରିଥିଲେ। ପର୍ଯ୍ୟଟକଙ୍କ ଗାଡ଼ିଗୁଡ଼ିକ ଗେଟ୍ ପାଖରେ ଅଟକିଥିବା ଖବର ପାଇ ଯଶିପୁର ବନ ଡିଭିଜନର ଉପନିର୍ଦ୍ଦେଶକ (ଡିଏଫଓ) ବିମଳ ପ୍ରସାଦ ଦାଶ, ଗୁରୁଗୁଡ଼ିଆ ରେଞ୍ଜ ଅଧିକାରୀ ହିମାଂଶୁ କୁମାର ସାଥୁଆ, ଯଶିପୁର ଥାନା ଅଧିକାରୀ ଗୋବିନ୍ଦ ବେହେରା, ରରୁଆଁ ତହସିଲଦାର ସାଇସ୍ମିତା ଉପାଧ୍ୟାୟ ପ୍ରମୁଖ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ବନବାସୀଙ୍କୁ ବୁଝାସୁଝା କରିଥିଲେ। ଠିକ୍ ଭାବେ ମୋରମ୍ ପକାଇ ରାସ୍ତା ନିର୍ମାଣ ପାଇଁ ଆନ୍ଦୋଳନକାରୀମାନେ ଅଡି ବସିବାରୁ ଡିଏଫଓ ଏଥି ପାଇଁ ୧୫ ଦିନ ସମୟ ନେଇଥିଲେ। ୧୫ ଦିନ ମଧ୍ୟରେ ରାସ୍ତା ଅବସ୍ଥା ଠିକ୍ ନ ହେଲେ ଟୁରିଷ୍ଟ ଗାଡ଼ି ଚଳାଚଳ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।