ଅଫିସ ନଆସିବାରୁ ପିଅନ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନିର୍ବାହୀ ଯନ୍ତ୍ରୀ: ରାଗ ସୁଝାଇବା ପାଇଁ ହୋଇଥିଲା ଅପହରଣ; ୮ ଗିରଫ, ଗାଡ଼ି, ମୋବାଇଲ, ମାରଣାସ୍ତ୍ର ଜବତ

ମନୋରଞ୍ଜନ ପଟ୍ଟନାୟକଙ୍କ ଅପହରଣ ମାମଲାର ପର୍ଦ୍ଦାଫାସ କଲା ଝାରସୁଗୁଡା ପୁଲିସ

230

କନକ ବ୍ୟୁରୋ: ଝାରସୁଗୁଡା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପଟ୍ଟନାୟକଙ୍କ ଅପହରଣ ଘଟଣାର ପର୍ଦ୍ଦାଫାସ କରିଛି ଝାରସୁଗୁଡା ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି । ଅପହରଣ ଅଭିଯୋଗରେ ୭ ଜଣ ଏବଂ ନିର୍ବାହୀ ଯନ୍ତ୍ରୀଙ୍କ ସୁନାଚେନ କିଣିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତମାନେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ମୁରିବାହାଲ ଏବଂ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଅଂଚଳର ବୋଲି ଜଣାପଡିଛି । ଘଟଣାରେ ବ୍ୟବହୃତ ହୋଇଥିବା ବୋଲେରୋ, ସୁନାଚେନ, ବନ୍ଧୁକ, ଭୁଜାଲି, ଖଣ୍ଡା ଏବଂ ୯ଟି ମୋବାଇଲ ଫୋନ ଜବତ କରାଯାଇଛି ।

ଘଟଣାର ମାଷ୍ଟର ମାଇଣ୍ଡ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସରେ କାମ କରୁଥିଲେ ପିଅନ ରବି ତାଣ୍ଡି । ସେ କିଛିଦିନ ଅଫିସ ଆସି ନଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିଥିଲେ ନିର୍ବାହୀ ଯନ୍ତ୍ରୀ । ଏଥିରେ ଉତ୍ୟକ୍ତ ହୋଇ ତାଙ୍କର ଦୁଇ ପୁଅ ଶିବ ତାଣ୍ଡି ଓ ତୋଫାନ ତାଣ୍ଡି, ନିର୍ବାହୀ ଯନ୍ତ୍ରୀଙ୍କୁ ଅପହରଣ କରିବା ପାଇଁ ଷଡଯନ୍ତ୍ର ରଚିଥିଲେ । ଗତ ୬ ତାରିଖ ବିଳମ୍ବିତ ରାତିରେ ଝାରସୁଗୁଡ଼ା ସ୍ଥିତ ନିର୍ବାହୀ ଯନ୍ତ୍ରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଅପହରଣ କରି ନେଇଥିଲେ ଅଭିଯୁକ୍ତମାନେ । ଅପହରଣ ପରେ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ୪ ହଜାର ଟଙ୍କା, ସୁନା ଚେନ୍ ଛଡ଼ାଇ ନେବା ସହ ୩ ଲକ୍ଷ ଟଙ୍କା ଦେବା ପାଇଁ ଦାବି କରିଥିଲେ । ହେଲେ ଯନ୍ତ୍ରୀଙ୍କ ପାଖରେ ସେତିକି ଟଙ୍କା ନଥିବାରୁ ଏକ ଚେକ୍ରେ ମଧ୍ୟ ଦସ୍ତଖତ କରାଇ ନେଇଥିଲେ । ଟଙ୍କା ଉଠାଣରେ ସହଯୋଗ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ ମନୋରଂଜନ ପଟ୍ଟନାୟକଙ୍କୁ ନେଇ ଅପହରଣକାରୀମାନେ ଏକ ବଲେରୋ ଯୋଗେ ସମ୍ବଲପୁର ଦେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗାକୁ ଯାଇଥିଲେ । ସେଠାରେ ପହଁଚି ଯନ୍ତ୍ରୀଙ୍କ ଠାରୁ ୩ ଲକ୍ଷ ଟଙ୍କା ମଗାଇବା ପାଇଁ କହିଥିଲେ ।

ନିରୁପାୟ ହୋଇ ନିର୍ବାହୀ ଯନ୍ତ୍ରୀ ତାଙ୍କର ଜଣେ ପରିଚିତ ବ୍ୟକ୍ତି ଶ୍ରୀନିବାସ ପ୍ରଧାନଙ୍କୁ ଜଣାଇବା ସହ ଅପହରଣକାରୀମାନଙ୍କୁ ୩ ଲକ୍ଷ ଟଙ୍କା ଦେବା ପାଇଁ ଫୋନ କରିଥିଲେ । ହେଲେ ଶ୍ରୀନିବାସଙ୍କ କେସିଙ୍ଗା ପହଂଚିବା ବିଳମ୍ବ ହେବାରୁ ପୁଲିସ ହାତରେ ଧରାପଡିଯିବା ଭୟରେ ନିର୍ବାହୀ ଯନ୍ତ୍ରୀଙ୍କୁ କେସିଙ୍ଗା ନିକଟସ୍ଥ ଉତ୍କେଲାର ଏକ ନିଛାଟିଆ ସ୍ଥାନରେ ଛାଡି ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ । କିଛି ସମୟ ପରେ ନିର୍ବାହୀ ଯନ୍ତ୍ରୀ କେସିଙ୍ଗା ଥାନା ପହଂଚି ତାଙ୍କ ଅପହରଣ ବିଷୟରେ କହିଥିଲେ । କେସିଙ୍ଗା ପୁଲିସ ଏନେଇ ଝାରସୁଗୁଡା ପୁଲିସକୁ ଖବର ଦେବା ପରେ ଝାରସୁଗୁଡାରୁ ଏକ ପୁଲିସ ଟିମ ପହଁଚି ତାଙ୍କୁ ଉଦ୍ଧାର କରିଥିଲା । ଝାରସୁଗୁଡା ଟାଉନ ଥାନାରେ ନିର୍ବାହୀ ଯନ୍ତ୍ରୀ ଲିଖିତ ଅଭିଯୋଗ କରିବା ପରେ ଏସପିଙ୍କ ତତ୍ୱାବଧାନରେ ଏସଡିପିଓ କୈଲାସ ଆଚାର୍ଯ୍ୟ ଓ ଥାନା ଅଧିକାରୀ ସାବିତ୍ରୀ ବଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଭବାନୀପାଟଣା, ମୁରିବାହାଲ ଏବଂ ଟିଟିଲାଗଡ଼ ଅଂଚଳରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ।