କୋଟି କୋଟି ଟଙ୍କାର ମାଲିକ ଏହି ୭ ଭାରତୀୟ କ୍ରିକେଟର । ତଥାପି କରନ୍ତି ସରକାରୀ ଚାକିରି ।

318

କନକ ବ୍ୟୁରୋ: ଭାରତୀୟ କ୍ରିକେଟରମାନେ ସବୁବେଳେ ନିଜର ରେକର୍ଡ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କ୍ରିକେଟ୍ ପଡିଆରେ ସେମାନଙ୍କର ରେକର୍ଡ ସେମାନଙ୍କୁ ସବୁବେଳେ ଚର୍ଚ୍ଚାରେ ରଖିଥାଏ । ଏଥିସହିତ ସେମାନଙ୍କର କୋଟି କୋଟି ଟଙ୍କା ଆୟକୁ ନେଇ ମଧ୍ୟ ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଏ । ହେଲେ ଆପଣ ଜାଣିଛନ୍ତି କି, କୋଟି କୋଟି ଟଙ୍କା ଆୟ କରିବା ପରେ ମଧ୍ୟ ଅନେକ ଭାରତୀୟ କ୍ରିକେଟର ଏବେ ବି ସରକାରୀ ଚାକିରି କରିଥାନ୍ତି ।

ସରକାରୀ ଚାକିରି କରୁଥିବା ଭାରତୀୟ କ୍ରିକେଟମାନଙ୍କର ଲିଷ୍ଟରେ ଅଛନ୍ତି ଯୁବ ସ୍ପିନର ୟୁଜବେନ୍ଦ୍ର ଚହଲ । ଖୁବ୍ କମ ଦିନ ଭିତରେ ଭାରତୀୟ ଟିମରେ ନିଜ ସ୍ଥାନ ପକ୍କା କରିଥିବା ଚହଲ ଟିମ୍ ଇଣ୍ଡିଆର ଜଣେ ଆଗଧାଡିର ସ୍ପିନର । ପ୍ରତିବର୍ଷ କ୍ରିକେଟ୍ ଖେଳି ସେ କୋଟି କୋଟି ଟଙ୍କା ଆୟ କରିଥାନ୍ତି । ହେଲେ ଏହାସତ୍ତେ୍ୱ ସେ ଆୟକର ବିଭାଗରେ ମଧ୍ୟ ଜଣେ ଇନସ୍ପେକ୍ଟର ଭାବେ କାମ କରନ୍ତି ବୋଲି ଆଜି ବି ଅନେକଙ୍କୁ ଅଜଣା ।

ସେହିପରି ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ମଧ୍ୟ ଭାରତୀୟ ରିଜର୍ଭ ବ୍ୟାଙ୍କରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରନ୍ତି ବୋଲି ଖୁବ କମ୍ ଲୋକଙ୍କୁ ଜଣା । ଭାରତୀୟ ଟେଷ୍ଟ ଦଳର ଜଣେ ନିୟମିତ ଖେଳାଳି ହେବା ସତ୍ତେ୍ୱ ସେ ଏବେ ବି ସରକାରୀ ଚାକିରି କରିଥାନ୍ତି । ତା ସହିତ ଭାରତକୁ ପ୍ରଥମ ବିଶ୍ୱକପ୍ ବିଜୟୀ କରିଥିବା ଅଧିନାୟକ କପିଳ ଦେବଙ୍କୁ ମଧ୍ୟ ୨୦୦୮ ମସିହାରେ କର୍ଣ୍ଣେଲ ପଦ ଦିଆଯାଇଥିଲା । ତା ସହିତ ୨୦୧୯ରେ କପିଳ ଦେବଙ୍କୁ ହରିୟାଣା ସ୍ପୋର୍ଟସ ୟୁନିଭର୍ସିଟିର କୁଳପତି ମଧ୍ୟ ନିଯୁକ୍ତ କରାଯାଇଥିଲା ।

୨୦୦୭ ଟି-୨୦ ବିଶ୍ୱକପରେ ଶେଷ ଓଭର ବୋଲିଂ କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ ଭାରତୀୟ ବୋଲର ଯୋଗିନ୍ଦର ଶର୍ମା । ହେଲେ ଦଳରେ ସେ ଜଣେ ନିୟମିତ ସଦସ୍ୟ ହୋଇପାରିନଥିଲେ । ହେଲେ କ୍ରିକେଟ୍ ପରେ ମଧ୍ୟ ସେ ହରିୟାଣା ପୋଲିସରେ ଜଣେ ଡିଏସପି ଭାବେ କାଯ୍ୟରତ । ତାଙ୍କ ସହିତ ଟିମ୍ ଇଣ୍ଡିଆର ସଫଳ ଅଫ ସ୍ପିନର ହରଭଜନ ସିଂହ ମଧ୍ୟ ପଞ୍ଜାବ ପୋଲିସରେ ଜଣେ ଡିଏସପି ଅଫିସର ଭାବେ କାମ କରିଥାନ୍ତି ।

ଏହି ଲିଷ୍ଟରେ ଭାରତୀୟ କ୍ରିକେଟ ଦଳର ମାଷ୍ଟର ବ୍ଲାଷ୍ଟର ମଧ୍ୟ ସାମିଲ ଅଛନ୍ତି । ସଚିନ କ୍ରିକେଟ୍ ପଡିଆରେ ଅନେକ ରେକର୍ଡ ରଚିଛନ୍ତି । ଯାହା ଆଜି ବି ଅନେକ କ୍ରିକେଟ୍ ଭାଙ୍ଗି ପାରିନାହାଁନ୍ତି । ତା ସହିତ ତାଙ୍କର ବାର୍ଷିକ ଆୟକୁ ନେଇ ମଧ୍ୟ ଅଧିକାଂଶ ସମୟରେ ଚର୍ଚ୍ଚା ହୁଏ । ହେଲେ ୨୦୧୦ ମସିହାରେ ତାଙ୍କୁ ଭାରତୀୟ ବାୟୁସେନାରେ ଜଣେ ଗ୍ରୁପ୍ କ୍ୟାପଟେନ୍ ଭାବେ ନିଯୁକ୍ତି ମିଳିଥିଲା ।
ସେହିପରି ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ପିଲାଟି ଦିନରୁ ଜଣେ ଆର୍ମି ଅଫିସର ହେବାକୁ ଇଚ୍ଛା ରଖିଥିଲେ । ତାଙ୍କର ଏହି ସ୍ୱପ୍ନ ୨୦୧୫ ମସିହାରେ ସତ ହୋଇଥିଲା । ଭାରତକୁ ୨୦୧୧ ମସିିହାରେ ବିଶ୍ୱକପ୍ ଜିତାଇବା ପରେ ଧୋନୀଙ୍କୁ ୨୦୧୫ରେ ଭାରତୀୟ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଭାବେ ନିଯୁକ୍ତ କରାଯାଇଥିଲା ।