ବାଘ ମରୁଛି, ହାତୀ ମରୁଛି । ଜଙ୍ଗଲ ବିଭାଗ ଶୋଇ ରହିଛି?

154

କନକ ବ୍ୟୁରୋ : ଜଙ୍ଗଲ ବିଭାଗ ଉପରେ ଉପରେ ଏବେ ଶନିଙ୍କର କୋପ ପଡିଥିବା ଚର୍ଚ୍ଚା ହେଉଛି । କେତେବେଳେ ଯେ କେଉଁ ଜଙ୍ଗଲ ଉପରେ ବିପଦ ମାଡି ଆସୁଛି ତାହାର ଟେର ପାଉନାହିଁ ଜଙ୍ଗଲ ବିଭାଗ । ବାଘ ଓ ହାତୀଙ୍କୁ ନେଇ ଏବେ ହଲପଟା ହେଉଛି ଜଙ୍ଗଲବିଭାଗ । ଗୋଟିଏ ମାସ ମଧ୍ୟରେ ଦୁଇଟି ବାଘ ଓ ୭ଟି ହାତୀ ମରିଥିଲେ ମଧ୍ୟ ଏଯାଏଁ ଜଙ୍ଗଲ ବିଭାଗ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହିଥିବା ଲୋକେ କହୁଛନ୍ତି ।

ଗତ ଗୋଟିଏ ମାସ ମଧ୍ୟରେ ଏମିତି କିଛି ହୋଇଛି ଯାହାକୁ ନେଇ ଜଙ୍ଗଲ ବିଭାଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଥମେ ବାନ୍ଧବଗଡରୁ ଆସିଥିବା ବାଘୁଣୀ ସୁନ୍ଦରୀ ପ୍ରାୟ ଗୋଟିଏ ମାସ ଧରି ଜଙ୍ଗଲ ବିଭାଗକୁ ନାକରେ ପାଣି ପଆଇଥିଲା ବାଘୁଣୀ ସୁନ୍ଦରୀ । ବାଘ ବଂଶ ବୃଦ୍ଧି ପାଇଁ ସୁନ୍ଦରୀକୁ ସାତକୋଶିଆକୁ ଅଣାଯାଇଥିଲା କିନ୍ତୁ ସେଠାରେ ଆତଙ୍କ ଖେଳାଇଥିଲା ସୁନ୍ଦରୀ । ଅନେକ ଗୃହପାଳିତ ପଶୁଙ୍କୁ ମାରି ଖାଇବା ସହ ଦୁଇଜଣ ମଣିଷଙ୍କ ଜୀବନ ସୁନ୍ଦରୀ ନେଇଥିବା ଅଭିଯୋଗ ହୋଇଥିଲା । ଗୋଟିଏ ପଟେ ରକ୍ତମୁଖା ସୁନ୍ଦରୀକୁ ନେଇ ଜଙ୍ଗଲ ବିଭାଗ ଟେନସନରେ ଥିବା ବେଳେ ଅକ୍ଟୋବର ୨୭ରେ ବନବିଭାଗକୁ ଲାଗିଥିଲା ଆଉ ଏକ ଝଟକା ।

ଢେଙ୍କାନାଳ କମଳାଙ୍ଗରୁ ଆସିଥିଲା ଜଙ୍ଗଲବିଭାଗର ଟେନସନକୁ ଦ୍ୱିଗୁଣିତ କରିଦେବା ଭଲି ଖବର । ବିଦ୍ୟୁତ ତାର ଆଘାତରେ ଏକାଥରକେ ଚାଲି ଯାଇଥିଲା ୭ ଗଜରାଜଙ୍କ ଜୀବନ । ଯାହାକୁ ନେଇ ଜଙ୍ଗଲ ବିଭାଗ ଉପରେ ପ୍ରଶ୍ନର ପାହାଡ ଛିଡା ହୋଇଯାଇଥିଲା । ଏହାର ଦିନ କେଇଟା ନ ବିତୁଣୁ ପୁଣିଥରେ ଜଙ୍ଗଲ ବିଭାଗକୁ ଅଡୁଆରେ ପକାଇଥିଲା ଦେବ୍ରିଗଡର ଘଟଣା । ଅଗଷ୍ଟରେ ପ୍ରଥମ ଥର ପାଇଁ କ୍ୟାମେରା ଧରାପଡିଥିଲା ଦେବ୍ରିଗଡରେ ଥିବା ମହାବଳ ବାଘ । କିନ୍ତୁ ଏହି ଖୁସି ବେଶି ପର୍ଯ୍ୟନ୍ତ ରହିନଥିଲା । ଦେବ୍ରିଗଡରେ ଥିବା ମହାବଳ ବାଘର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଲା । କିନ୍ତୁ ଏହାକୁ ଲୁଚାଇବାକୁ ଜୋରଦାର ପ୍ରୟାସ ଚଳାଇଲା ବନବିଭାଗ । ଏପରିକି ମହାବଳ ବାଘକୁ ହେଟା ବାଘର ରୂପ ଦେବାକୁ ମଧ୍ୟ ପଛାଇଲା ନାହିଁ । କିନ୍ତୁ ଶେଷରେ ଦେବ୍ରିଗଡରେ ମହାବଳ ମରିଥିବା ସ୍ୱୀକାର କରିଥିଲା ବନବିଭାଗ ।

ଗୋଟିଏ ପଟେ ଦେବ୍ରିଗଡରେ ମହାବଳ ମରିଥିଲା ଅନ୍ୟପଟେ ସାତକୋଶିଆରେ ଉତ୍ପାତ କରୁଥିଲା ସୁନ୍ଦରୀ । ଯେଉଁଥିପାଇଁ ଜଙ୍ଗଲ ବିଭାଗର ତଳ ସ୍ତରର କର୍ମଚାରୀଙ୍କୁ ମାଡ ମଧ୍ୟ ଖାଇବାକୁ ପଡିଥିଲା । ଆଉ ଏସବୁ ଭିତରେ ସୁନ୍ଦରୀକୁ ଧରିବାକୁ ଯୋଜନା ପ୍ରସ୍ତୁତ କଲା ବନବିଭାଗ । ସୁନ୍ଦରୀକୁ ଧରିବାକୁ କୁମକୀ ହାତୀ ଯଶୋଦାକୁ ନିଆଗଲା ସାତକୋଶିଆ । ଯଶୋଦା ପିଠିରେ ବସି ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଗଲା । କିନ୍ତୁ ଜଙ୍ଗଲ ବିଭାଗ ଶାନ୍ତିରେ ନିଶ୍ୱାସ ମାରିବା ପୂର୍ବରୁ ସୁନ୍ଦରୀକୁ ଧରିବାକୁ ଯାଇଥିବା ଯଶୋଦା ଘଟାଇଥିଲା ବଡ ଅଘଟଣ । ସହଯୋଗୀ ମାହୁନ୍ତଙ୍କୁ କଚାଡି ମାରିଥିଲା ଯଶୋଦା । ଅନ୍ୟପଟେ ସୁନ୍ଦରୀ କେଉଁଠି ରହିବ ସେନେଇ ଏନଟିସିଏ କୌଣସି ଉତ୍ତର ଦେଉନଥିବାରୁ ସୁନ୍ଦରୀର ଭବିଷ୍ୟତ ବନ୍ଦୀ ଜୀବନ ଘେରକୁ ଚାଲିଯାଇଛି । ଯାହାକୁ ନେଇ ଜଙ୍ଗଲବିଭାଗର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

MAHAVIRଆଉ ଏଭଳି ସମୟରେ ଗତକାଲିର ଘଟଣା ଜଙ୍ଗଲବିଭାଗର ରକ୍ତଚାପକୁ ବଢାଇଦେଇଛି । ଅନୁଗୁଳ ଓ ମୟୂରଭଞ୍ଜରେ ଦୁଇଟି ହାତୀଙ୍କ ମୃତ୍ୟୁ ଓ ପୁଣି ରାତି ଅଧରେ ସାତକୋଶିଆରେ ଥିବା ମହାବୀର ବାଘର ମୃତ୍ୟୁ ଖବର ଆସିବା ପରେ ମଧ୍ୟ ଜଙ୍ଗଲବିଭାଗର ନିଦ ଭାଙ୍ଗିନାହିଁ । ଗୋଟିଏ ପଟେ ବାଘ ବଂଶ ବୃଦ୍ଧି କରିବାକୁ ଜଙ୍ଗଲବିଭାଗ ବାହାର ରାଜ୍ୟରୁ ବାଘ ଆଣିଛି କିନ୍ତୁ ଅନ୍ୟପଟେ ସେହି ବାଘଙ୍କୁ ସୁରକ୍ଷା ଦେଇ ନ ପାରିବାରୁ ତାଙ୍କର ମୃତ୍ୟୁ ଘଟୁଛି । ଆଉ ଏଭଳି ସ୍ଥିତିରେ ଲୋକେ କହୁଛନ୍ତି ଜଙ୍ଗଲବିଭାଗକୁ ଶନିଦଶା ପଡିଛି ।