ଆସାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ୭ ଆତଙ୍କବାଦୀ ନିହତ

180

କନକ ବ୍ୟୁରୋ : ଆସାମ- ନାଗାଲାଣ୍ଡ ସୀମା ପଶ୍ଚିମ କାର୍ବି ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଅପରେଶନ ବେଳେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ହୋଇଥିବା ଆତଙ୍କବାଦୀମାନେ ଦିମାସା ନ୍ୟାସନାଲ ଲିବରେସନ ଆର୍ମି (ଡିଏନଏଲଏ) ର ବୋଲି କୁହାଯାଇଛି । ଏହି ଆତଙ୍କବାଦୀ ସଂଗଠନ ଡିଏନଏଲଏ ଆସାରମ ଦୀମା ହାସାଓ ଓ କର୍ବିି ଜିଲ୍ଲାରେ ସକ୍ରିୟ ଥିବା କଥା କୁହାଯାଇଛି । ପୋଲିସର ସୂଚନା ମୁତାବକ ସୁରକ୍ଷା ବଳ ଶୁକ୍ରବାର ରାତିରେ ଡିଏନଏଲଏ କ୍ୟାମ୍ପର ଠିକଣା ପାଇଥିଲେ । ଶନିବାର ରାତିରେ କାର୍ବି ଓ ଲାଙ୍ଗଲଙ୍ଗ ଜିଲ୍ଲାରେ ଅପରେଶନ ଆରମ୍ଭ କରିଥିଲେ । ଏହି ଅପରେଶନ ବେଳେ ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟ ପକ୍ଷର ଗୁଳିବିନିମୟରେ ୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏଭଳି ୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଡିଏନଏଲଏ ସଂଗଠନକୁ ବଡ ଝଟକା ଲାଗିଛି । ଆସାମ ପୋଲିସର ସ୍ୱତନ୍ତ୍ର ଡିଜି ଜେ.ପି ସିଂ କହିଛନ୍ତି କି, ମୃତ ଆତଙ୍କବାଦୀଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳା ବାରୁଦ ଜବତ କରାଯାଇଛି । ଏନେଇ ସେ ଏକ ଟ୍ୱିଟ କରି କହିଛନ୍ତି କି, ଆସାମ ପୋଲିସ ଓ ଆସାମ ରାଇଫଲ୍ସର ମିଳିତ ଅପରେଶନରେ ଡିଏନଏଲଏ ଆତଙ୍କବାଦୀ ସଂଗଠନର ୭ ଜଣ ପ୍ରାଣ ହରାଇଛନ୍ତି ।

କହିରଖୁ କି ମେ ୧୯ ତାରିଖ ଦିନ ଡିଏନଏଲଏ ଆତଙ୍କବାଦୀ ଆସାମ-ନାଗାଲାଣ୍ଡ ସୀମାରେ ଜଣେ ଯୁବକକୁ ହତ୍ୟା କରିଥିଲେ । ଏହାପରେ ସୁରକ୍ଷାକର୍ମୀ ମାନେ ବଡ ଧରଣର ଅପରେଶନ ଆରମ୍ଭ କରିଥିଲେ ।