ବନ୍ୟା ନେଲା ୭ ଜୀବନ । ବର୍ଷା, ବନ୍ୟାରେ ଗଲାଣି ୭ ଜଣଙ୍କ ଜୀବନ । କାନ୍ଥପଡି ଓ ପାଣିରେ ଭାସିଯାଇ ୭ ଜଣଙ୍କ ମୃତ୍ୟୁ…

655

କନକ ବ୍ୟୁରୋ: ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଜନିତ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି।

ତେବେ ମୟୂରଭଂଜ ଜିଲ୍ଲାରେ ୪ ଜଣ, କେନ୍ଦୁଝର ଜିଲ୍ଲାରେ ୨ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଛି।। ବନ୍ୟା ଯୋଗୁଁ କାନ୍ଥପଡ଼ି ଓ ପାଣିରେ ଭାସିଯାଇ ଏମାନଙ୍କର ମୃତ୍ୟୁ ହୋଇଛି। ଏତଦ ବ୍ୟତୀତ ମୟୂରଭଂଜ ଓ ବରଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତି ବନ୍ୟା ଜଳରେ ଭାସିଯାଇଥିବା ଜଣାଯାଇଛି। ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଅଂଚଳ ଜଳମଗ୍ନ ହୋଇଥିବା ବେଳେ ଏନଡିଆରଏଫ ଓ ଏସଡିଆରଏଫ କର୍ମଚାରୀଙ୍କ ଦ୍ୱାରା ୭ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ତେବେ ବୈତରଣୀ , ବୁଢାବଳଙ୍ଗ ଓ ଜଳକାରେ ବନ୍ୟା ସ୍ଥିତି ଉପୁଜିଛି । ବ୍ରାହ୍ମଣୀ ନଦୀରେ ନିମ୍ନ ମଧ୍ୟମ ଧରଣର ବନ୍ୟା ହେବା ସଂଭାବନା ରହିଛି । ବୈତରଣୀ ଆଖୁଆପଦାଠାରେ ବିପଦସଂକେତ ଉପରେ ୨୦.୦୨ରେ ରହିଛି । ବୈତରଣୀ ବିପଦ ସଂକେତ ରହିଛି ୧୭.୬୧ ମିଟର । ବୈତରଣୀ ନଦୀ ଯାଜପୁରରେ ୩ଟି ଘାଇ କରିଛି । ଦଶରଥପୁରରେ ୨ଟି, ଯାଜପୁର ଜିଲ୍ଲାରେ ଗୋଟିଏ ଘାଇ କରିଛି
ଜଳକା ଜଳସ୍ତର ଖସୁଛି , ବର୍ତମାନ ବିପଦ ସଂକେତ ଉପରେ ୬.୯୨ ମିଟରରେ ପାଣି । ଜଳକା ବିପଦ ସଂକେତ ୫.୫ ମିଟର ରହିଛି ।

ସେହିପରି ବୁଢାବଳଙ୍ଗ ନଦୀରେ ବୁଢାବଳଙ୍ଗ ବିପଦ ସଂକେତ ୮.୧ ମିଟର ଥିବାବେଳେ ୮.୪ ମିଟରରେ ପାଣି ଚାଲିଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ରାଜଘାଟ ପାଖରେ ବିପଦ ସଂକେତ ୧୦.୩୬ ମିଟର । ସତର୍କ ସଂକେତ ୯.୪ ଉପରେ ଚାଲୁଛି ପାଣି । ଘଂଟା ପ୍ରତି ୨ରୁ ୩ ସେଂଟିମିଟର ବଢୁଛି ଜଳସ୍ତର । କାଲି ବାଲେଶ୍ୱରର ୪ ବ୍ଲକ ଓ ମୟୂରଭଂଜର କିଛି ବ୍ଲକରେ ବନ୍ୟା ଆସିବ ।