୭ ଦିନ ପାଇଁ ସଟଡାଉନ ହେଲା ଛତ୍ରପୁର ଏନଏସି: ଜୁନ ୩୦ରୁ ଜୁଲାଇ ୬ ଯାଏ ଜିଲ୍ଲାପ୍ରଶାସନ ପକ୍ଷରୁ ସଡଡାଉନ ନେଇ ଜିଲ୍ଲାପାଳଙ୍କ ସୂଚନା

ଛତ୍ରପୁର ବ୍ଲକ ଚେୟାରମ୍ୟାନ ବି କରୋନା ଆକ୍ରାନ୍ତ

298

କନକ ବ୍ୟୁରୋ: ୭ ଦିନ ପାଇଁ ସଟଡାଉନ ହେଲା ଛତ୍ରପୁର ଏନଏସି । କାଲିଠୁ ସଟଡାଉନ ନେଇ ଜିଲ୍ଳା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଜୁନ ୩୦ରୁ ଜୁଲାଇ ୬ ଯାଏ ସଡଡାଉନ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ସେବା ବନ୍ଦ ରହିବ । ଛତ୍ରପୁର ବ୍ଲକ ଅଧ୍ୟକ୍ଷ ବି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପଜିଟିଭ ଆସିବା ପରେ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି ।

ସେପଟେ, ବ୍ରହ୍ମପୁର ସହରରେ ଲାଗୁ ହୋଇଥିବା ସଟଡାଉନର ଆଜି ତୃତୀୟ ଦିନ । ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଯାଂଚକୁ କଡାକଡି କରାଯାଇଛି । ଦୋକାନ ବଜାର ବନ୍ଦ ରହିଛି । ବାହାର ଜିଲ୍ଲାରୁ ଲୋକ ଆସିବା ଉପରେ କଟକଣା ଲଗାଯାଇଛି । ଲୋକଙ୍କୁ ଘରଠାରୁ ଗୋଟିଏ କିଲୋମିଟରରୁ ଅଧିକ ବାଟ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଜ୍ୱର, କଫ ଓ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭଳି ଲକ୍ଷଣ ଦେଖା ଦେଉଥିଲେ ଏହାକୁ ନଲୁଚାଇବାକୁ ଅପିଲ କରିଥିଲା ଗଞ୍ଜାମ ଜିଲ୍ଲାପାଳ । ଏଭଳି କିଛି ଲକ୍ଷଣ ଥିଲେ ତୁରନ୍ତ ଆଶାକର୍ମୀଙ୍କୁ ଜଣାଇବାକୁ ଟୁଇଟ୍ କରି କହିଛନ୍ତି । ଏଥିସହ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଏହାକୁ ନଲୁଚାଇବାକୁ କହିଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କଟକଣା କଡାକଡି କରାଯାଇଛି ।

ସେହିପରି ଗଜପତି ଜିଲ୍ଲା ୩ ଦିନିଆ ସଟଡାଉନ୍ର ଆଜି ଦ୍ୱିତୀୟ ଦିନ । ସଟଡାଉନ୍ କଟକଣା ଲାଗୁ ହୋଇଥିବା ପାରଳାଖେମୁଣ୍ଡି ସହର ସମେତ ଗୋଷାଣି ଓ ଗୁମ୍ମା ବ୍ଲକର ବିଭିନ୍ନ ସ୍ଥାନରେ ଯାଂଚ କରିବା ସହ ଏବଂ କଟକଣାକୁ ମାନିବାକୁ ଲୋକମାନଙ୍କୁ ସତର୍କ କରୁଛି ପୋଲିସ୍ । କେବଳ କ୍ଷୀର ଓ ଔଷଧ ଦୋକାନକୁ ଛାଡି ଆଉ ସମସ୍ତ ଦୋକାନ ବନ୍ଦ ରହିଛି । ଅନ୍ୟପଟେ ଗଜପତି ଜିଲ୍ଲାରେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ କ୍ୱାରେଂଟିନ ଅବଧିକୁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ । ଫେରୁଥିବା ପ୍ରବାସୀମାନେ କ୍ୱାରେଂଟିନ ସେଂଟରରେ ୧୪ ଦିନ ପରିବର୍ତେ ୨୧ ଦିନ ରଖିବାକୁ ନିଷ୍ପତି ନେଇଛନ୍ତି । ସଂଗରୋଧ କେନ୍ଦ୍ରରୁ ଯିବା ପରେ ପ୍ରବାସୀ ଶ୍ରମିକମାନେ ହୋମ କ୍ୱାରେଂଟିନ ନିୟମ ମାନୁନଥିବାରୁ ଓ ପରେ ସେମାନେ କୋଭିଡ୍ ଚିହ୍ନଟ ହେଉଥିବାର ମାମଲା ସାମନାକୁ ଆସିବା ପରେ ଗୋଷ୍ଠି ସଂକ୍ରମଣ ରୋକିବା ଉଦେଶ୍ୟରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତି ନେଇଥିବା କୁହାଯାଉଛି ।