କାବୁଲ ବିମାନ ବନ୍ଦରରୁ ଆସିଲା ଦୁଃଖଦ ଖବର, ବିମାନରେ ଚଢିବାକୁ ଚେଷ୍ଟା କରୁଥିବା ବେଳେ ଦଳା ଚକଟାରେ ୭ ଜଣଙ୍କର ମୃତ୍ୟୁ

262

କନକ ବ୍ୟୁରୋ : କାବୁଲ ବିମାନବନ୍ଦରରେ ପୁଣି ସାଧାରଣ ଆଫଗାନ ନାଗରିକ ମୃତ୍ୟୁବରଣ କରିଥିବାର ଖବର ଆସିଛି । ବ୍ରିଟେନ ସେନା ତରଫରୁ ରବିବାର ଦିନ ଜାରି କରାଯାଇଥିବା ସୂଚନା ମୁତାବକ କାବୁଲ ବିମାନ ବନ୍ଦରରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ସେନା କହିଛି କି ଏବେ ବି ଆଫଗାନ ନାଗରିକମାନେ ତାଲିବାନୀମାନଙ୍କ ଭୟରେ ଦେଶଛାଡିବାକୁ ବ୍ୟସ୍ତ ହୋଇପଡିଛନ୍ତି । ବ୍ରିଟେନ ରକ୍ଷାମନ୍ତ୍ରଣାଳୟ ଏକ ବୟାନ ଜାରିକରି କହିଛି କି ବିମାନବନ୍ଦରର ସ୍ଥିତି ଏବେ ବି ଚ୍ୟାଲେଜିଂ ରହିଛି । ହେଲେ ସେନା ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ଚେଷ୍ଟା ଜାରି ରହିଛି ।

 ତାଲିବାନ ଅତ୍ୟାଚାରରେ ବିବ୍ରତ ହୋଇ ଆଫଗାନ ନାଗରିକମାନେ ଦେଶ ଛାଡିବାକୁ କାବୁଲ ବିମାନବନ୍ଦରରେ ଭିଡ ଜମାଇଥିଲେ । ଏହି ସମୟରେ ଦଳାଚକଟାରେ ୭ ଜଣ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ କାବୁଲ ଏୟାରପୋର୍ଟରେ ଥିବା ଆମେରିକା ସେନା ଏବେ ତାର ରଣନୀତି ବଦଳାଇଛି । ବିମାନ ଛାଡିବା ପୂର୍ବରୁ ସେଠାରେ ଲୋକଙ୍କୁ ଘଉଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ଆମେରିକା ସରକାରଙ୍କ ବିନା ନିର୍ଦ୍ଦେଶରେ କାବୁଲ ବିମାନ ବନ୍ଦରକୁ ଯାତ୍ରା ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କହିରଖୁ କି ଗତ ସୋମବାର ଦିନ କାବୁଲ ଏୟାରପୋର୍ଟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା । ଫଳରେ ଆମେରିକା ସେନା ପକ୍ଷରୁ ରନୱେ ଠାରୁ ଲୋକଙ୍କୁ ଘଉଡାଇବାକୁ ଚେଷ୍ଟା କରାଯାଇଥିଲା । ଏହି କ୍ରମରେ କିଛି ଲୋକ ବିମାନରେ ଝୁଲି ଦେଶ ଛାଡିବାକୁ ଚେଷ୍ଟା କରୁଥିବା ବେଳେ ଖସିପଡି କିଛି ନାଗରିକଙ୍କ ମୃତ୍ୟୁ ହୋଇଥିଲା ।