କନକ ବ୍ୟୁରୋ : ବାୟୁ ପ୍ରଦୂଷଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ସତର୍କ କରି କହିଛନ୍ତି ଯେ, ବିଶ୍ୱର ପ୍ରାୟ ୯୯ ପ୍ରତିଶତ ଲୋକ ଏବେ ବିଷାକ୍ତ ବାୟୁ ଗ୍ରହଣ କରୁଛନ୍ତି । ବିଶ୍ୱର ୧୦୦ ସହରରୁ ଭାରତର ୬୩ ସହର ପ୍ରଦୂଷିତ ରହିଛି । ସେହିପରି ଓଡିଶାର ୭ଟି ସହରରେ ବାୟୁ ପ୍ରଦୁଷଣ ମାତ୍ରା ଅଧିକ ରହିଛି ।

Advertisment

ନୀଳ ଆକାଶରେ ବିଷର ବଳୟ । ବିିଶ୍ୱର ୯୯ ପ୍ରତିଶତ ଲୋକ ଶୋଷୁଛନ୍ତି ବିଷାକ୍ତ ବାୟୁ । ଓଡ଼ିଶାର ୭ ସହରରେ ବଢ଼ୁଛି ପ୍ରଦୂଷଣ । ଆମ ଚାରିପାଖରେ ଘୁରିବୁଲୁଛି ବିଷାକ୍ତ ବାୟୁ । ମୁକ୍ତ ଅମ୍ଳଜାନ ନୁହଁ ଆମେ ଗ୍ରହଣ କରୁଛୁ ବିଷାକ୍ତ ବାୟୁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ବିିଶ୍ୱର ୯୯ ପ୍ରତିଶତ ଲୋକ ବିଷାକ୍ତ ବାୟୁ ଗ୍ରହଣ କରୁଛନ୍ତି । ବିଶ୍ୱର ୧୦୦ ସହରରୁ ଭାରତର ୬୩ ସହର ପ୍ରଦୂଷିତ ରହିଛି ।

ସେହିପରି ଓଡ଼ିଶାର ୭ଟି ସହରରେ ବାୟୁ ପ୍ରଦୂଷଣ ମାତ୍ରା ଅଧିକ ରହିଛି । ସେଗୁଡିକ ହେଲା ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ରାଉରକେଲା, ବାଲେଶ୍ୱର ଓ କଳିଙ୍ଗନଗର । ଏସବୁ ସହରର ଲୋକମାନେ ପ୍ରଶ୍ୱାସ ନେଲାବେଳେ ନାଇଟ୍ରୋଜେନ ଡାଇଓକ୍ସାଇଡ ଏବଂ ଅତି ସୁକ୍ଷ୍ମ ପାର୍ଟିକଲ୍ସ ଗ୍ରହଣ କରିଥାନ୍ତି । ଯାହାକି ମଣିଷ ଶରୀର ପାଇଁ ଅତି ମାରାତ୍ମକ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୧୧୭ ଦେଶର ୬ହଜାର ସହରର ବାୟୁମାନ ଉପରେ ଅନୁଧ୍ୟାନ କରାଯାଇଥିଲା । ଏଥିରୁ ଜଣାପଡିଛି, ଆମେ ପ୍ରଶ୍ୱାସରେ ଗ୍ରହଣ କରୁଥିବା ପିଏମ ୨.୫କଣିକା ଫୁସଫୁସରେ ପ୍ରବେଶ କରି ରକ୍ତରେ ପ୍ରବାହିତ ହୋଇଥାଏ । ଯାହାକି ଉଭୟ ହୃତପିଣ୍ଡ ଓ ମସ୍ତିଷ୍କକୁ ବିପଦରେ ପକାଇଥାଏ । ବ୍ରେନ ଷ୍ଟ୍ରୋକ ଓ ହାର୍ଟ ଆଟାକ ଭଳି ଆଶଙ୍କା ବଢ଼ାଇଥାଏ । ପରିବେଶ ପ୍ରଦୂଷଣ ରୋକିବା ପାଇଁ ସରକାରୀ ସ୍ତରରେ ସ୍ୱତନ୍ତ୍ର ଗାଇଡଲାଇନର ଆବଶ୍ୟକତା ଥିବା ପରିବେଶବିତ କହିଛନ୍ତି । ବେଳ ଥାଉ ଥାଉ ବ୍ୟବସ୍ଥା ନକଲେ ଆଗକୁ ସମସ୍ୟା ବଢିପାରେ ବୋଲି ବିଶେଷଜ୍ଞ କହିଛନ୍ତି ।