ଇନ୍ଦୋରରେ ଚିହ୍ନଟ ହେଲା ଡେଲଟାର ନୂଆ ପ୍ରଜାତି : ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ

ବ୍ରିଟେନରେ ଆତଙ୍କ ଖେଳାଇଛି ଡେଲଟାର ଏହି ସବ୍ ଭାରିଆଂଟ ଏୱାଇ.୪

142

କନକ ବ୍ୟୁରୋ : ଭାରତରେ ବ୍ରିଟେନରେ ଆତଙ୍କ ସୃଷ୍ଟିକାରୀ ଭୂତାଣୁ । ଇନ୍ଦୋରରେ ଡେଲ୍ଟାର ନୂଆ ପ୍ରଜାତି ଚିହ୍ନଟ ହୋଇଛି । ଏହି ନୂଆ ଭାରିଆଂଟ ହେଉଛି ଏୱାଇ.୪ ଏବଂ ଏହା ଡେଲଟାର ଭୂତାଣୁର ନୂଆ ପ୍ରଜାତିର ଏକ ସବ୍ ଭାରିଆଂଟ । ମଧ୍ୟପ୍ରଦେଶରେ ହୋଇଥିବା ଜିନୋମ୍ ସ୍ୱକ୍ୱେନ୍ସିଂ ରିପୋର୍ଟରୁ ୭ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦୁଇ ସେନା ଅଧିକାରୀଙ୍କ ସମେତ ୭ ଜଣ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ ଚିହ୍ନଟ ହୋଇଛି ।

ଇନ୍ଦୋର ମୁଖ୍ୟ ମେଡିକାଲ ଓ ହେଲ୍‌ଥ ଅଫିସର ଡ. ବିଏସ୍ ସେତିୟାଙ୍କ କହିବା ଅନୁସାରେ ମହୁଁ କ୍ୟାଣ୍ଟନମେଣ୍ଟରେ ନିଯୁକ୍ତ ଦୁଇଜଣ ସେନା ଅଫିସର ଏହି ପ୍ରଜାତି ଦ୍ବାରା ସଂକ୍ରମିତ ହୋଇଥିଲେ । ମହାରାଷ୍ଟ୍ରରେ ୧ ପ୍ରତିଶତ ନମୁନାରେ ଏୱାଇ.୪ କିସମ ଚିହ୍ନଟ ହୋଇଛି । ଏନ୍‌ସିଡିସି ରିପୋର୍ଟ ଅନୁସାରେ ଅଗଷ୍ଟ ମାସରେ କୋଭିଡ୍‌-୧୯ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଡେଲ୍‌ଟାର ଏହି ଉପ-କିସମ ଯୋଗୁ ସେପ୍ଟେମ୍ବର ମାସରେ ଇନ୍ଦୋର ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇଥିଲା । ସେପ୍ଟେମ୍ବର ୨୩ରୁ ୨୫ ଭିତରେ ମହୁଁ-ସ୍ଥିତ ଆର୍ମି ୱାର୍ କଲେଜରେ ପ୍ରାୟ ୩୦ ଜଣ ପ୍ରଶିକ୍ଷାର୍ଥୀ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

କିନ୍ତୁ ସେମାନଙ୍କଠାରେ ରୋଗର କୌଣସି ଲକ୍ଷଣ ନ ଥିଲା ଏବଂ ସମସ୍ତେ ଦୁଇଟି ଡୋଜ୍ ଟିକା ନେଇଥିଲେ । ପରେ ସେମାନଙ୍କ ନମୁନା ଜିନୋମ୍ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା । ଏହାର ପ୍ରଥମ ରିପୋର୍ଟ ଅକ୍ଟୋବର ୧ରେ ବାହାରିଥିବା ବେଳେ ଦ୍ବିତୀୟ ରିପୋର୍ଟ ୧୬ରେ ପ୍ରକାଶ ପାଇଥିଲା । ଏମ୍‌ଜିଏମ୍ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡ. ଅନୀତା ମୁଥା କହିଛନ୍ତି ଯେ, ଏୱାଇ.୪ ହେଉଛି ଡେଲ୍‌ଟା ଭାରିଆଣ୍ଟର ଏକ ଉପ-କିସମ। ଏହା ଡେଲ୍‌ଟା ନୁହେଁ କିମ୍ବା ଡେଲ୍‌ଟା ପ୍ଲସ୍ ବି ନୁହେଁ । ଭାରତରେ ଏହି କିସମ ପ୍ରଥମେ ମହାରାଷ୍ଟ୍ରରେ ଗତବର୍ଷ ଅକ୍ଟୋବର ମାସରେ ଚିହ୍ନଟ ହୋଇଥିଲ । ତେବେ ଏହି ନୂତନ କିସମ ବିଷୟରେ ବେଶି କିଛି ଗବେଷଣାଲବ୍ଧ ତଥ୍ୟ ନଥିବା ଜଣାପଡ଼ିଛି ।