କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ମଣ୍ଡଳି ସହ ଗଂଜାମ ଜିଲ୍ଲାରେ ବିଜେଡି ଦୁର୍ବଳ ହୋଇପଡିଛି । ବ୍ରହ୍ମପୁର ରାଜସ୍ୱ ଡାକ ବଙ୍ଗଳାରେ ଦଳର ୬ ଜଣ ପୂର୍ବତନ ବିଧାୟକ ବୈଠକ କରି ଏଭଳି ଉଦବେଗ ପ୍ରକାଶ କରିଛନ୍ତି । କହିଛନ୍ତି
୨୦୧୯ ନିର୍ବାଚନ ଓ ଗତ ପଂଚାୟତ ନିର୍ବାଚନରେ ବିଜେଡିର ଭୋଟ ବ୍ୟବଧାନ କମିଛି
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳିରେ ମଧ୍ୟ ବିଜୟର ବ୍ୟବଧାନ କମିଛି
ଏପରିକି ଗଂଜାମରେ ବିଜେପିର ଭୋଟ ହାର ବଢୁଥିବା ଅଭିଯୋଗ
ଏହାଛଡା ଦଳର ଶୃଙ୍ଖଳିତ କର୍ମୀ ଓ ଦଳ ପ୍ରତି ଆନୁଗତ୍ୟ ରହିଥିଲେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଆଣିଛନ୍ତି୬ ଜଣ ପୂର୍ବତନ ବିଧାୟକ । ଏସବୁ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିବା ପାଇଁ ଚିଠି ଲେଖିଛନ୍ତି । ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ।
ପୂର୍ବତନ ବିଧାୟକଙ୍କ ଅଭିଯୋଗ ୨୦୦୦ ମସିହାରୁ ଜିଲ୍ଲାର ୮ ଜଣ ପୂର୍ବତନ ବିଧାୟକ ବିଜେଡି ସହ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ପୂର୍ବତନ ବିଧାୟକଙ୍କୁ ପଦପଦବୀ ଦେଇ ଥଇଥାନ କରାଯାଇଛି । ଅନ୍ୟ ୬ ଜଣ ପୂର୍ବତନ ବିଧାୟକଙ୍କୁ କୌଣସି ପଦପଦବୀ ମିଳିନାହିଁ । ଯଦିଓ ପୂର୍ବତନ ବିଧାୟକଙ୍କ ନିଜ ଅଂଚଳରେ ଦବଦବା ନାହିଁ ତଥାପି ବରିଷ୍ଠତା ଭିତିରେ ଦଳରେ ଯେଉଁ ଖାତିର ରହିବା କଥା ତାହା ରହୁ ନାହିଁ । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡି ଭେଟିବାକୁ ପୂର୍ବତନ ବିଧାୟକମାନେ ଚିଠିଲେଖିଛନ୍ତି ।
ଗଂଜାମର ଏକାଧିକ ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ବେଳେ ଏବେ ୬ ପୂର୍ବତନ ବିଧାୟକଙ୍କ ଅସନ୍ତୋଷ ବିଜେଡି କଳିକୁ ପଦାରେ ପକାଇଥିବା କୁହାଯାଉଛି ।