କନକ ବ୍ୟୁରୋ: ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଲାଗୁ କରିଥିବା ଜରୁରୀକାଳୀନ ପରିସ୍ଥିତିକୁ ପୂରଣ ହୋଇଛି ୪୯ ବର୍ଷ। ତେବେ ଏହି ଏମରଜେନ୍ସିକୁ ବିରୋଧ କରି ବିଜେପି ପାଳୁଛି କଳା ଦିବସ। ୧୯୭୫ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏମରଜେନ୍ସି ଲାଗୁ କରିଥିବା ଘଟଣାକୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସୋସିଆଲ ମିଡିଆ ଏକ୍ସରେ ୪ଟି ପୋଷ୍ଟ ସେୟାର କରି କଂଗ୍ରେସ ଉପରେ ବର୍ଷିଛନ୍ତି। ମୋଦୀ କହିଛନ୍ତି, - ଆଜି ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ସମସ୍ତ ମହାନ ପୁରୁଷ ଓ ମହିଳାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ଦିନ। #DarkDaysOfEmergency ଆମକୁ ସ୍ମରଣ କରାଏ, କିପରି କଂଗ୍ରେସ ଦେଶବାସୀଙ୍କ ମୌଳିକ ସ୍ୱାଧୀନତାକୁ ନଷ୍ଟ କରିଥିଲା। ଶାସନ କ୍ଷମତାକୁ ହାତମୁଠାରେ ରଖିବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ଗଣତନ୍ତ୍ରର ସିଦ୍ଧାନ୍ତଙ୍କୁ ଅବହେଳା କରିଥିଲା। ଗଣତାନ୍ତ୍ରିକ ନୀତିକୁ ଅଣଦେଖା କରି ଦେଶକୁ ଜେଲରେ ପରିଣତ କରିଥିଲା। ଦେଶରେ ଏମରଜେନ୍ସି ଲାଗୁ କରିଥିବା ଲୋକଙ୍କ ମୁହଁରେ ଦେଶଭକ୍ତି ଶୋଭା ପାଉନାହିଁ।

Advertisment

ଖାଲି ପ୍ରଧାନମନ୍ତ୍ରୀ ନୁହଁନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଦି ବିଜେପିର ବରିଷ୍ଠ ନେତା ଟ୍ୱିଟ୍ କରି ଏମରେଜନ୍ସି ଘଟଣାକୁ ନିନ୍ଦା କରିଛନ୍ତି। ସେପଟେ ବିଜେପିର ବୟାନ ଉପରେ ଉତ୍ତର ରଖି ବିରୋଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆଉ କେତେଦିନ ପର୍ୟ୍ୟନ୍ତ ଏମରଜେନ୍ସି କଥା କହି ଲୋକଙ୍କୁ ଭ୍ରମିତ କରୁଥିବେ। ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଅଚ୍ଛେଦିନର ପ୍ରତିଶ୍ରୁତି କେବେ ପୂରଣ ହେବ, ସେକଥା କାହିଁକି ସ୍ପଷ୍ଟ କରୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ।

୨୫ ଜୁନ୍ ୧୯୭୫ରେ ରେଡିଓରେ ଏକ ଘୋଷଣା ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏହି ଘୋଷଣା କରିଥିଲେ। ସାରା ଦେଶରେ ଲାଗୁ ହୋଇ ସାରିଥିଲା ଜରୁରୀକାଳୀନ ସ୍ଥିତି। ଦେଶରେ ୨୧ମାସ ପାଇଁ ଲାଗୁ ହୋଇ ସାରିଥିଲା ଏମରଜେନ୍ସି । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନିର୍ଦ୍ଦେଶରେ ଦେଶରେ ଲାଗୁ ହୋଇଥିଲା ଜରୁରୀକାଳୀନ ପରିସ୍ଥିତି। ସେତେବେଳେ ରାଷ୍ଟ୍ରପତି ଫକରୁଦ୍ଦିନ ଅଲ୍ଲୀ ଅହମ୍ମଦ ଏମରଜେନ୍ସି ନିର୍ଦ୍ଦେଶ ଉପରେ ମୋହର ମାରିଥିଲେ।
- ଜରୁରୀକାଳୀନ ସ୍ଥିତି ୧୯୭୧ଲୋକସଭା ନିର୍ବାଚନ ସହ ଜଡ଼ିତ
- ୧୯୭୧ରେ ରାୟବରେଲି ଆସନରେ ୧ଲକ୍ଷ୍ୟରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଇନ୍ଦିରା
- ସଂଯୁକ୍ତ ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ରାଜନାରାୟଣଙ୍କୁ ପରାସ୍ତ କରିଥିଲେ
- ହେଲେ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଆଲ୍ଲାହବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ
- ୧୨ ଜୁନ୍ ୧୯୭୫ରେ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ ନିରସ୍ତ୍ର କରିବା ସହ ୬ ବର୍ଷ ପର୍ୟ୍ୟନ୍ତ ନିର୍ବାଚନ ଲଢ଼ିବା ଉପରେ କଟକଣା ଲଗାଇଥିଲେ
- ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଇନ୍ଦିରା
- ୨୩ ଜୁନ ୧୯୭୫ରେ ସୁପ୍ରିମକୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ କାଏମ ରଖିଲେ
- ମାତ୍ର ହାଇକୋର୍ଟ ରାୟ ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇ ନଥିଲେ
- ଏହାପରେ ଇନ୍ଦିରା ଗାନ୍ଧୀ ଦେଶରେ ଏମରଜେନ୍ସି ଲାଗୁ କରିଦେଲେ

ଏମରଜେନ୍ସି ଲାଗୁ ହେବା ପରେ ଦେଶରେ ରାଜନୈତିକ ସଂକଟ ଦେଖା ଦେଇଥିଲା। ଏହାକୁ ବିରୋଧ କରୁଥିବା ପ୍ରତ୍ୟେକ ନେତାଙ୍କୁ ଗିରଫ କରି ଜେଲରେ ଭର୍ତି କରାଯାଇଥିଲା । ବିଜେପି ଏହି ଘଟଣାକୁ ମନେ ପକାଇ ସାରା ଦେଶରେ ପାଳନ କରୁଛି କଳା ଦିବସ।