ପୁଣି କରୋନା ନେଲା ଆଉ ୧ ଜୀବନ । ଗଂଜାମରେ ଜଣେ ୬୮ ବର୍ଷୀୟ ଆକ୍ରାନ୍ତଙ୍କ ମୃତ୍ୟୁ । ମୃତକ ଜଣକ ବିଭିନ୍ନ ରୋଗରେ ପୀଡିତ ଥିବା ନେଇ ସୂଚନା

434

କନକ ବ୍ୟୁରୋ: ରାଜ୍ୟରେ କରୋନାର କାୟ ଦିନକୁ ଦିନ ବଢିବାରେ ଲାଗିଛି । ଦିନ ପ୍ରତିଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଚାଲିଛି । ଆଜି ୧୪ ଜିଲ୍ଲାରୁ ୧୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁଣି ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ୩୫୦କୁ ବୃଦ୍ଧି ପାଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଂଚିଛି ।

ତେବେ ମୃତକ ଜଣକ ଗଂଜାମ ଜିଲ୍ଲାର ବୋଲି ସ୍ପଷ୍ଟ କରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ୬୮ ବର୍ଷୀୟ ବ୍ୟକ୍ତି ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଥିବା ବେଳେ ସେ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ଥିବେ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଏବେ ନଜର ପକାଇବା କେଉଁ ଜିଲ୍ଲାରୁ କେତେ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଜନିତ ମୃତ୍ୟୁ ୧୮ ହୋଇଥିବା ବେଳେ ଗଂଜାମରୁ ୬ ଜଣଙ୍କ ଜୀବନ ନେଇଛି ଭୂତାଣୁ । ସେହିଭଳି ଭୁବନେଶ୍ୱରରୁ ୩, କଟକରୁ ୩, ଖୋର୍ଦ୍ଧା-୧, ପୁରୀ-୧ ଓ ବରଗଡରୁ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ଜୁନ୍ ମାସରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମେ’ରେ ୫ ଜଣ ଆଖି ବୁଝିଥିଲେ । ଏପ୍ରିଲ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା ।

ସାରା ଦେଶରେ କଲବଲ କରୁଛି କରୋନା । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ଜଣଙ୍କର ମୃତ୍ୟୁ ହୋଇଛି । ଗଂଜାମରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ୧୭୦ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୫୮ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ନବରଙ୍ଗପୁର-୧୯, ଖୋର୍ଦ୍ଧା-୧୯, ରାୟଗଡା ୧୬, ଗଜପତି-୧୬, କଟକ ୧୪, ମାଲକାନଗିରି-୫, କେନ୍ଦ୍ରାପଡା-୬, ନୟାଗଡରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ଏଯାଏଁ ମୋଟ ଆକ୍ରାନ୍ତ ୬୩୫୦ ଚିହ୍ନଟ ହୋଇଛନ୍ତି ।