ଗ୍ରୀଷ୍ମ ପ୍ରବାହ ଭିତରେ କୋଇଲା ସଙ୍କଟ: ତାପଜ କେନ୍ଦ୍ରକୁ କୋଇଲା ପଠାଇବା ପାଇଁ ବାତିଲ ହେଲା ୬୭୦ଟି ଟ୍ରେନ 

163

କନକ ବ୍ୟୁରୋ: ଦେଶରେ କୋଇଲା ସଂକଟର ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ଏହାରି ଭିତରେ ୬୭୦ ଟି ବାତିଲ କରିବାର ନିଷ୍ପତି ନେଇଛି ଭାରତୀୟ ରେଳ ବିଭାଗ । ତାପଜ ବିଦ୍ୟୁତ କେନ୍ଦ୍ରକୁ ମାଲଗାଡି ଯୋଗେ ଶୀଘ୍ର କୋଇଲା ଯୋଗାଇବା ପାଇଁ ଏଭଳି ନିଷ୍ପତି ନେଇଛି ରେଳ ବିଭାଗ । ସେପଟେ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ କହିଲା ସମସ୍ୟା ଦୁର କରିବା ପାଇଁ କଣ କରୁଛନ୍ତି କେନ୍ଦ୍ର ସରକାର ।

ଦେଶରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏବଂ  ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଜୁଳିର ଚାହିଦା ସର୍ବକାଳିନ ରେକର୍ଡ ଭାଙ୍ଗିଛି । ଶୁକ୍ରବାର ଅପରାହ୍ନରେ ବିଜୁଳିର ଚାହିଦା ୨ଲକ୍ଷ ୭ ହଜାର ୧୧୧ ମେଗାୱାଟ ରହିଥିଲା । ଯାହାକି ସର୍ବକାଳିନ ରେକର୍ଡ ଭାଙ୍ଗିଥିବା କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଟୁଇଟ୍ କରି କହିିଛି । ସେପଟେ ବଢୁଥିବା କୋଇଲା ସଂକଟ କାରଣରୁ ୧୬ ଟି ରାଜ୍ୟରେ ୧୦ ଘଂଟା ଯାଏଁ ବିଦ୍ୟୁତ କାଟ ଆରମ୍ଭ ହୋଇଛି । ଅନ୍ୟପଟେ ତାପଜ ବିଦ୍ୟୁତ କେନ୍ଦ୍ରରେ ଶୀଘ୍ର କୋଇଲା ପହଂଚାଇବା ଓ ବିଜୁଳି ସମସ୍ୟାକୁ ଦୁର କରିବା ପାଇଁ ରେଳ ବିଭାଗ ଏକ ବଡ ପଦକ୍ଷେପ ନେଇଛି । ଆସନ୍ତୁ ଜାଣିବା କଣ ପଦକ୍ଷେପ ନେଇଛି  ରେଳ ବିଭାଗ…

-୬୭୦ ଟ୍ରେନ୍ ବାତିଲ କରିବାକୁ ନିଷ୍ପତି ନେଇଛି ରେଳବାଇ । 

-ମେ’ ୨୪ ତାରିଖ ପର୍ଯ୍ୟନ୍ତ ୬୭୦ଟି ମେଲ, ଏକ୍ସପ୍ରେସ୍ ଓ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । 

-ଏହା ମଧ୍ୟରୁ ୫୦୦ରୁ ଅଧିକ ଦୂରଗାମୀ ମେଲ ଓ ଏକ୍ସପ୍ରେସ୍ ଟ୍ରେନ୍ ରହିଛି । 

— ଟ୍ରେନ ଗୁଡିକ ବାତିଲ ହେବା ଦ୍ୱାରା କୋଇଲା ନେଇ ଯାଉଥିବା ଟ୍ରେନ୍କୁ ଅତିରିକ୍ତ ରାସ୍ତା ମିଳିପାରିବ । 

– ବର୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପ୍ରତ୍ୟେକ ଦିନ ୪୧୫ଟି କୋଇଲା ନେଇଯାଉଥିବା ଟ୍ରେନ୍ ଯୋଗାଇବ । 

-ପ୍ରତ୍ୟେକ ଟ୍ରେନ୍ରେ ପାଖାପାଖି ୩ ହଜାର ୫ ଶହ ଟନ୍ କୋଇଲା ନିଆଯାଇପାରିବ ।

-ଦେଶରେ ୭୦ ପ୍ରତିଶତ ବିଜୁଳି ତାପଜ ବିଦ୍ୟୁତ କେନ୍ଦ୍ରରୁ ଉତ୍ପାଦନ ହେଉଛି । ଏଥିପାଇଁ ପ୍ରଚୁର ପରିମାଣରେ କୋଇଲା ଆବଶ୍ୟକ । 

ଭାରତ ସରକାର ପ୍ରତିବର୍ଷ ଇଣ୍ଡୋନେସିଆ, ଚୀନ, ଓ ଅଷ୍ଟ୍ରେଲିଆ ଠାରୁ ୨ ଶହ ନିୟୁତ ଟନ କୋଇଲା କିଣିଥାନ୍ତି । ଗତ ବର୍ଷ ଅକ୍ଟୋବର ମାସରୁ ଆମଦାନୀ କମିବା ଆରମ୍ଭ ହେଲା ଏବଂ ବର୍ତମାନ ଯୋଗାଣ ସମ୍ପୂଣ୍ଣ ପ୍ରଭାବିତ ହୋଇଛି । ଫଳରେ ସରକାରଙ୍କ ନିର୍ଭରତା କୋଲ ଇଣ୍ଡିଆ ଉପରେ ଅଧିକ ହୋଇଯାଇଛି । ସେପଟେ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ନିଜ ର୍ୟାଲିରେ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଅଥଚ କୋଇଲା ସଂକଟ ପାଇଁ କିଛି କରୁନଥିବା କଂଗ୍ରେସ ଅଭିଯୋଗ କରିଛି ।  ସେହିପରି ଦିଲ୍ଲୀରେ ମଧ୍ୟ ତାପଜ ବିଦ୍ୟୁତ କେନ୍ଦ୍ରରେ କୋଇଲା ର ଘୋର ଅଭାବ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଭିଯୋଗ କରିଥିଲେ । ଯାହାକୁ ଖଣ୍ଡନ କରିବା ସହ ତଥ୍ୟ ରଖିଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ ।

ଦେଶରେ କୋଇଲା ସଂକଟ ଯୋଗୁଁ ବିଦ୍ୟୁତ କାଟ ସହିତ ଟ୍ରେନ ବାତିଲ ହେବା ସାଧାରଣ ଲୋକଙ୍କ ସମସ୍ୟା ବଢେଇଛି । ସମସ୍ୟା ଦୁର କରିବା ପାଇଁ ସରକାର କଣ ନୂଆ ପଦେକ୍ଷେପ ନେଉଛନ୍ତି ତା ଉପରେ ସଭିଙ୍କ ନଜର ରହିଛି ।