କନକ ବ୍ୟୁରୋ: ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ଅଧିକାଂଶ ହବ୍ରେ ପ୍ରଶ୍ନପତ୍ର ବି ପହଞ୍ଚିସାରିଲାଣି । କିନ୍ତୁ ଏତିକିବେଳେ ସମାନ କାମକୁ ସମାନ ଦରମା ସମେତ ୪ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ୬୬୨ ବର୍ଗ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ । ୧୫ ଦିନ ହେଲା ରାଜଧାନୀରେ ଅହୋରାତ୍ର ଧାରଣା ଦେବା ପରେ, ସରକାର ନଶୁଣିବାରୁ, ସୋମବାର ମହାସମାବେଶ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିସହ ସରକାର ସେମାନଙ୍କ ଦାବି ନଶୁଣିଲେ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି ।

Advertisment

ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ୬୬୨ ବର୍ଗର ଅଧିକାଂଶ କଲେଜ ରହିଛି । କିନ୍ତୁ ଏହି କଲେଜର ଅଧ୍ୟାପକ ଓ କର୍ମଚାରୀ ଅସହଯୋଗ କଲେ ପରୀକ୍ଷା କିଭଳି ହେବ ସେ ନେଇ ଚିନ୍ତାରେ ପଡିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ତେବେ ଯାହା ଅସୁବିଧା ଉପୁଜିବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କହିଛନ୍ତି ଆନ୍ଦୋଳନରତ ଅଧ୍ୟାପକ ଓ କର୍ମଚାରୀ ।

ତେବେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ସବୁବେଳେ ଆଲୋଚନା ଚାଲିଛି । କିନ୍ତୁ ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ଅଧ୍ୟାପକମାନେ ପରୀକ୍ଷରେ ସହଯୋଗ କରନ୍ତୁ । ଗୋଟିଏ ପଟେ ସରକାର ଅଧ୍ୟାପକ ଓ କର୍ମଚାରୀଙ୍କ ଦାବିକୁ ଅଣଦେଖା କରିବା ଓ ଅନ୍ୟପଟେ ଅଧ୍ୟାପକ ଓ କର୍ମଚାରୀ ଜିଦରେ ଅଟଳ ରହିବା ଆଗାମୀ ପରୀକ୍ଷାକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି ।