କନକ ବ୍ୟୁରୋ: ଯୁକ୍ତ ଦୁଇ ପରୀକ୍ଷା ପାଇଁ ଅଧିକାଂଶ ହବରେ ପ୍ରଶ୍ନପତ୍ର ପହଞ୍ଚିସାରିଛି । ହେଲେ ପରୀକ୍ଷା ପରିଚାଳନାକୁ ନେଇ ଏବେ ସମସ୍ୟା ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି । କାରଣ ସମାନ ଗ୍ରେଡ୍ ପେ’କୁ ସମାନ ଦରମା ଏବଂ ଅନ୍ୟାନ୍ୟ ଦାବି କରି ଆଜିଠୁ ବିଶାଳ ମହାସମାବେଶ କରିବାକୁ ଯାଉଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ୪ ଦଫା ଦାବିରେ ୬୬୨ ଯୁକ୍ତ୨ ଓ ଯୁକ୍ତ୩ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ୧୫ ଦିନ ହେଲା ରାଜଧାନୀରେ ଆନ୍ଦୋଳନ କରୁଛନ୍ତି ।

Advertisment

ଚଳିତବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ ରହିଛନ୍ତି । ମାର୍ଚ୍ଚ ୧ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଛି । ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜଗୁଡ଼ିକ ମଧ୍ୟରେ ଅଧିକାଂଶ ୬୬୨ ବର୍ଗ ଅନ୍ତର୍ଗତ ରହିଛି । ଯଦି ସେଠାକାର ଅଧ୍ୟାପକ ଓ କର୍ମଚାରୀ ଅସହଯୋଗ କରନ୍ତି ତେବେ ପରୀକ୍ଷା ହେବ କିଭଳି? ଗୋଟିଏ ପଟେ ଅଧ୍ୟାପକମାନେ ଅସହଯୋଗ ଜିଦରେ ଅଟଳ । ଆଉ ଅନ୍ୟପଟେ ରାଜ୍ୟ ସରକାର ନିଜ ଜିଦରେ ଅଟଳ ରହି ଅଧ୍ୟାପକଙ୍କ ସମସ୍ୟାକୁ ଦୃଷ୍ଟି ଦେଉନଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମହଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଲାଣି । ସଂଘ କହିଛି ଯେ ରାଜ୍ୟ ସରକାର ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବୃଦ୍ଧି କରିଛନ୍ତି । ମାତ୍ର ସମାନ କାମ କରୁଥିବା କେତେକ ଅଧ୍ୟାପକ ଓ କର୍ମଚାରୀ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି ।