ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ପ୍ରାୟ ୭୦% ମତଦାନ । ଇଭିଏମରେ ସିଲ୍ ହେଲା ୪୧୭ ପ୍ରାର୍ଥୀଙ୍କ ଭାଗ୍ୟ

୨୫ ତାରିଖରେ ୯ଟି ବୁଥରେ ହେବ ସାନି ଭୋଟଗ୍ରହଣ, କାଁ ଭାଁ ଗଣ୍ଡଗୋଳ, ଇଭିଏମରେ ତ୍ରୁଟି, ମତଦାନ ବିଳମ୍ବ

138

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ୬ ଜଣ ମନ୍ତ୍ରୀ, ରାଜ୍ୟସଭା ସାଂସଦ, ପିସିସି ସଭାପତି, ପୂର୍ବତନ ପ୍ରଶାସକ ଅର୍ଥାତ୍ ଆଇଏଏସ୍, ଆଇପିଏସ୍, ଯନ୍ତ୍ରୀ, ଚଳଚ୍ଚିତ୍ର ତାରକା ଏମିତି ୪୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଗତକାଲି ଇଭିଏମରେ ସିଲ୍ ହୋଇଯାଇଛି। ୬ଟି ଲୋକସଭା ଓ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ଯେଉଁ ମତ ଦେଇଛନ୍ତି, ତାହାର ଫଳାଫଳ ମେ’ ୨୩ ତାରିଖରେ ନିର୍ଣ୍ଣୟ ହେବ। ଏଥିସହିତ କାଁ ଭାଁ ଗଣ୍ଡଗୋଳ, ଇଭିଏମ ତ୍ରୁଟି ଯୋଗୁଁ ମତଦାନରେ ବିଳମ୍ବ ଆଦିକୁ ବାଦ ଦେଲେ ଗତାକିଲ ସକାଳ ୭ଟାରୁ ଆରମ୍ଭ ହୋଇଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି।

ରାଜ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟରେ ପ୍ରାୟ ୭୦% ମତାଦାତା ନିର୍ବାଚନ ପ୍ରକ୍ରିୟାରେ ସାମିଲ ହୋଇ ପ୍ରତିନିଧି ବାଛିଥିଲେ। ଅନ୍ୟପକ୍ଷରେ ଢେଙ୍କାନାଳର କାମାକ୍ଷାନଗରରେ ଅସୁସ୍ଥତା କାରଣରୁ ଜଣେ ପୋଲିଂ ଅଧିକାରୀ ନବଘନ ନାୟକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଃଖ ପ୍ରକାଶ କରିବା ସହିତ ନିର୍ବାଚନ କମିସନଙ୍କ ଦ୍ବାରା ପ୍ରଣୀତ କ୍ଷତିପୂରଣ ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି।ଏହି ପର୍ଯ୍ୟାୟରେ କଟକ ଲୋକସଭା ଅନ୍ତର୍ଗତ ବଡ଼ମ୍ବା ବିଧାନସଭା ଓ ସମ୍ବଲପୁର ଲୋକସଭା ଅଧୀନରେ ଥିବା ଦେବଗଡ଼ ବିଧାନସଭାର ଗୋଟିଏ ଲେଖାଏଁ ବୁଥରେ ତ୍ରୁଟିପୂର୍ଣ୍ଣ ଭିଭିପାଟ ସଂଯୋଗ ଯୋଗୁଁ ସାନି ମତଦାନ ପାଇଁ ସୁପାରିସ କରାଯାଇଛି। ଏହାସହିତ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ସ୍ଥଗିତ ହୋଇଥିବା ୯ଟି ବୁଥରେ ଆସନ୍ତା ୨୫ ତାରିଖରେ ମତଦାନ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ, ଢେଙ୍କାନାଳ, ସମ୍ବଲପୁର, କେନ୍ଦୁଝର, ଭୁବନେଶ୍ବର ଓ କଟକ ଲୋକସଭା ସମେତ ୪୨ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବେ ତୃତୀୟ ପର୍ଯ୍ୟାୟ ମତଦାନ ଗତକାଲି ସମ୍ପନ୍ନ ହୋଇଛି। କଟକ ଲୋକସଭା ଆସନ ଅନ୍ତର୍ଗତ ବଡ଼ମ୍ବା ବିଧାନସଭା ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୧୯୬ରେ ଭୋଟଗ୍ରହଣ ଆରମ୍ଭ ହେବା ମାତ୍ରେ ଭିଭିପାଟ ମେସିନରେ ତ୍ରୁଟି ଦେଖାଦେବାରୁ ନୂଆ ମେସିନ ବଦଳାଯାଇଥିଲା। ନୂଆ ମେସିନ ବଦଳାଇବା ପୂର୍ବରୁ ପୁରୁଣା ଭିଭିପାଟରେ ୧୩୪ ଖଣ୍ଡ ଭୋଟ ପଡ଼ିଥିଲା। ସମ୍ବଲପୁର ଲୋକସଭା ଅଧୀନସ୍ଥ ଦେବଗଡ଼ ବିଧାନସଭାର ପୋଲିଂ ବୁଥ ନମ୍ବର ୧୮୩ରେ ତ୍ରୁଟିପୂର୍ଣ୍ଣ ଭିଭିପାଟ ସଂଯୋଗ ଯୋଗୁଁ ସମାନ ପରିସ୍ଥିତି ଦେଖାଦେବାରୁ ଉଭୟ ବୁଥରେ ମତଦାନକୁ ସ୍ଥଗିତ କରାଯାଇଥିଲା। ଏପରି ମନୁଷ୍ୟକୃତ ତ୍ରୁଟି ପାଇଁ ସମ୍ପୃକ୍ତ ପୋଲିଂ ଅଧିକାରୀ ଓ ସେକ୍ଟର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି। ଏହି ଦୁଇ ବୁଥରେ ସାନି ମତଦାନ ପାଇଁ ମଧ୍ୟ ନିର୍ବାଚନ କମିସନଙ୍କୁ ସୁପାରିସ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ରାଜ୍ୟ ସରକାରଙ୍କ ୭ ବରିଷ୍ଠ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଦ୍ରି ନାରାୟଣ ପାତ୍ର, ଡାକ୍ତର ନୃସିଂହ ସାହୁ, ଚନ୍ଦ୍ର ସାରଥୀ ବେହେରା, ମହେଶ୍ବର ମହାନ୍ତି, ଅେଶାକ ଚନ୍ଦ୍ର ପଣ୍ଡାଙ୍କର ରାଜନୈତିକ ଭାଗ୍ୟ ଲେଖିଛନ୍ତି ଭୋଟର। ଏମାନଙ୍କ ବ୍ୟତୀତ ପୂର୍ବତନ ମେୟର ଅନନ୍ତ ନାରାୟଣ େଜନା, ପୂର୍ବତନ ପ୍ରଶାସକ ଅପରାଜିତା ଷଡଙ୍ଗୀ, ପ୍ରକାଶ ମିଶ୍ର, ଅରୂପ ପଟ୍ଟନାୟକ, ପୂର୍ବତନ ପୂର୍ତ ସଚିବ ନଳିନୀ ପ୍ରଧାନ, ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ସଂଜୟ ଦାସବର୍ମା, ପ୍ରଦୀପ ମହାରଥୀ ପ୍ରମୁଖ ବହୁ ହେଭିୱେଟ୍ ନେତା ଲଢୁଥିବା ଆସନରେ ବି ଗତକାଲି ଭୋଟ ଗ୍ରହଣ କରାଯାଇଥିଲା।