କନକ ବ୍ୟୁରୋ : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣର ସମୟ ଶେଷ ହୋଇ ଆସୁଛି । ତେବେ ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ମତଦାନର ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଆଜି ରାଜ୍ୟର ୬ଟି ଲୋକସଭା ଆସନ ଏବଂ ୪୧ଟି ବିଧାନସଭା ଆସନରେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । ତେବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୬୬ ପ୍ରତିଶତ ମତଦାନ ହୋଇଛି ।
ମୟୂରଭଞ୍ଜ ଜିଲ୍ଲାରେ ୬୬ ପ୍ରତିଶତ ମତଦାନ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୬୫ ପ୍ରତିଶତ ମତଦାନ ହୋଇଛି । ସେହିପରି ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୬୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ତେବେ ଫୋକସରେ ଥିବା କେନ୍ଦ୍ରାପଡା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୫ ପ୍ରତିଶତ ମତଦାନ ହୋଇଛି । ସେହିପରି ଜଗତସିଂହପୁରରେ ୬୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁଯାୟୀ, ବେଆଇନ୍ କାର୍ଯ୍ୟ ପାଇଁ ୩ ଜଣ ପୋଲିଂ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଭୋଟିଂ କମ୍ପାର୍ଟମେଣ୍ଟକୁ ବେଆଇନ ଭାବେ ପ୍ରବେଶ କରିଥିବା ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଂଝାରପୁର ୧୯୧ ନମ୍ବର ବୁଥ୍ ପ୍ରିଜାଇଡିଂ ଅଫିସର ବୈକୁଣ୍ଠନାଥ ମଲ୍ଲିକ, ୧୩୫ ନମ୍ବର ବୁଥ୍ ପ୍ରିଜାଇଡିଂ ଅଫିସର ଧୀରେନ୍ଦ୍ର ତ୍ରିପାଠୀ ଏବଂ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ୧୯୬ ନମ୍ବର ବୁଥ୍ ପୋଲିଂ ଅଫିସର ଜନାର୍ଦ୍ଦନ ପୃଷ୍ଟିଙ୍କୁ ସସପେଣ୍ଡ କରାଯାଇଛି ।