କନକ ବ୍ୟୁରୋ:  ଲଙ୍କାରେ ଲାଗିଛି ହିଂସାର ନିଆଁ । ଦୁଇ ମାସ ହେଲା ବିରୋଧ ପ୍ରଦର୍ଶନରେ ଜଳୁଛି ଶ୍ରୀଲଙ୍କା । ଘୋର ଆର୍ଥିକ ସଙ୍କଟ ଓ ରାଜନୈତିକ ଉଥାନପତନ ଯୋଗୁଁ ଦେଶରେ ଏଭଳି ବିପତି ଦେଖାଦେଇଛି ଯାହା କଳ୍ପନା ବାହାରେ । ଏହା ଭିତରେ ସରକାର ବଦଳିଛି କିନ୍ତୁ ପରିସ୍ଥିତି ସ୍ୱାଭାବିକ ହେଉନି । ଦିନକୁ ଦିନ ଅଧିକ ସଂଗୀନ ହେଉଛି ସେଠାକାର ସ୍ଥିତି ।  ସେପଟେ ରାଷ୍ଟ୍ରପତି  ଗୋଟବାୟ ରାଜପକ୍ଷେଙ୍କ ଇସ୍ତଫା ଦାବି କରି ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଯୁବଗୋଷ୍ଠୀ । ରବିବାରଠୁ ରାଷ୍ଟ୍ରପତିଙ୍କ ବାସଭବନ ସମ୍ମୁଖରେ ଶତାଧିକ ସଂଖ୍ୟକ ଛାତ୍ରଛାତ୍ରୀ ଏକାଠି ହୋଇ ଗୋଟବାୟାଙ୍କ ଇସ୍ତଫା ଦାବି କରୁଛନ୍ତି ।

Advertisment

ପ୍ରଦର୍ଶନକାରୀଙ୍କୁ ଘୋଉଡାଇବା ପାଇଁ ସୁରକ୍ଷାକର୍ମୀ ଲାଠିଚାର୍ଜ ସହ ଲୁହବୁହା ଗ୍ୟାସ ବ୍ୟବହାର କରିବା ଯୋଗୁଁ ସ୍ଥିତି ଅଧିକ ଉତେଜନାପୂର୍ଣ୍ଣ ହୋଇପଡିଛି । ଦେଶବାସୀଙ୍କୁ  ସମ୍ବୋଧିତ କରି ଦେଶରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ଶ୍ରୀଲଙ୍କାବାସୀ ନିଜ ଦେଶର ସଙ୍କଟ ପାଇଁ ସିଧାସଳଖ ରାଜପକ୍ଷେ ପରିବାରକୁ ଦାୟୀ କରି ଆସୁଛନ୍ତି ।ପୂର୍ବପ୍ରଧାନମନ୍ତ୍ରୀ ତଥା ରାଷ୍ଟ୍ରପତି ଗୋଟବାୟାଙ୍କ ଭାଇ ମହିନ୍ଦ୍ରା ରାଜପକ୍ଷେଙ୍କ ତ୍ରୁଟିପୂର୍ଣ୍ଣ ରାଜନୀତି ପାଇଁ  ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଦେଖାଯାଇଥିବା ଅଭିଯୋଗ ହୋଇ ଆସୁଛି । ଚାପରେ ପଡି ମହିନ୍ଦ୍ରା ରାଜପକ୍ଷେ ଇସ୍ତଫା ଦେଇ ବର୍ତମାନ ଅଜଣା ଜାଗାରେ ଲୁଚି ରହିଥିବାବେଳେ ଏବେ ରାଷ୍ଟ୍ରପତି ଗୋଟବାୟାଙ୍କ ଇସ୍ତଫା ପାଇଁ ଦାବି ଜୋର ଧରିଛି ।

ଶ୍ରୀଲଙ୍କା ସଙ୍କଟକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଦେଶର ଏଭଳି ସ୍ଥିତି ପ୍ରକୃତରେ ଦାୟୀ କିଏ?ଯଦି ସଙ୍କଟ ଏଭଳି ଜାରି ରହିବ ତେବେ ଦେଶବାସୀଙ୍କ ଭବିଷ୍ୟତ କଣ ହେବ? ସରକାରଙ୍କ ଉଦ୍ୟମ ଯଦି ବିଫଳ ହେଉଛି ତେବେ ଦେଶରେ ଏଭଳି ସ୍ଥିତି କେତେଦିନ ଧରି ଚାଲିବ ଓ ଏଥିରୁ କିଭଳି ମୁକୁଳିବେ ଶ୍ରୀଲଙ୍କା ।