ବଂଶୀ ବଜାଉଛି ମୁଁ ରିକ୍ସାବାଲା… ଅଭାବ ମଣିଷକୁ କିଛି ବି ସଜେଇଦିଏ । କଳାକୁ ମିଳିଲାନି ସମ୍ମାନ, ପେଟ ପୋଷିବାକୁ କାଳିଆ ଦୂଆରେ ରିକ୍ସାବାଲା ସାଜିଲେ ବଂଶୀବାଦକ ।

ଏ ବୃଦ୍ଧ, ପେଟ ପାଇଁ ପେଡାଲ ମାରୁଛନ୍ତି, ମନ ପାଇଁ ବଜାଉଛନ୍ତି ବଂଶୀ । ବେଉସା ସରିଲେ ବଡଦାଣ୍ଡରେ ବଂଶୀଟିଏ ଧରି ବେସୁରା ଜୀବନକୁ ସୁରିଲା କରନ୍ତି ଆଉ ସବୁ ଅବସୋସକୁ ଚକାଆଖି ଆଗରେ ଅର୍ପଣ କରନ୍ତି...

690

କନକ ବ୍ୟୁରୋ; ବଡଦାଣ୍ଡରୁ ଭାସି ଆସୁଛି ବଂଶୀର ସ୍ୱର । ସାଆନ୍ତ କ୍ଷେତ୍ରରେ ଶୁଭୁଛି ବୟସ୍କ ବଂଶୀର ସୁରିଲା ସୁରିଲା ସୁର । ଏ ସ୍ୱର ଶାନ୍ତି ଦେଇପାରେ, ମନକୁ ମୁଗ୍ଧ କରିପାରେ, ଆତ୍ମକୁ ଆନନ୍ଦ ବି ଦେଇପାରେ । ହେଲେ ଏ ବୃଦ୍ଧ, ପେଟ ପାଇଁ ପେଡାଲ ମାରୁଛନ୍ତି, ମନ ପାଇଁ ବଜାଉଛନ୍ତି ବଂଶୀ । ବେଉସା ସରିଲେ ବଡଦାଣ୍ଡରେ ବଂଶୀଟିଏ ଧରି ବେସୁରା ଜୀବନକୁ ସୁରିଲା କରନ୍ତି ଆଉ ସବୁ ଅବସୋସକୁ ଚକାଆଖି ଆଗରେ ଅର୍ପଣ କରନ୍ତି…

ପୁରୀର ପୂର୍ଣ୍ଣଚନ୍ଦ୍ର ଗୋଚ୍ଛାୟତ । କେବେ ସେ ରିକ୍ସାବାଲା ତ କେବେ ବଂଶୀବାଲା । ପେଟ ଛାଖଣ୍ଡକ ପାଇଁ ସେ ରିକ୍ସା ଟାଣନ୍ତି । କାରଣ ଚକ ନଗଡିଲେ ପେଟ ପୂରିବନି, ଆଉ ବଂଶୀ ନବାଜିରେ ମନ ବୁଝିବନି । ସେଇଥିପାଇଁ ତ କାମରୁ ଟିକେ ଫୁରସତ ପାଇଲେ କାଳିଆ ଦାଣ୍ଡରେ ରିକ୍ସା ଉପରେ ବସି ବଇଁଶୀରୁ ମଧୂର ମୁର୍ଚ୍ଛନା କାଢନ୍ତି ପୂର୍ଣ୍ଣ ।

୬୫ ବର୍ଷର ଏ ବୃଦ୍ଧଙ୍କର ପେଶା ରିକ୍ସା ଟାଣିବା, କିନ୍ତୁ ନିଶା ବଂଶୀ ବାଦନ । ଅଭାବୀର ଅନ୍ଧାରୀ ଗଳିରେ ସିନା ପୂର୍ଣ୍ଣଙ୍କ ବଂଶୀର ସ୍ୱର ବନ୍ଦୀ ହୋଇଗଲା ହେଲେ ଦିନ ଥିଲା ଏଇ ସ୍ୱର ଶୁଣିବାକୁ ଲୋକ ଚାହିଁ ରହୁଥିଲେ । ବିଭିନ୍ନ ମଞ୍ଚରେ ସେ ନିଜର କଳା ପ୍ରଦର୍ଶନ କରିଛନ୍ତି । ଅନେକ ଟେଲିଭିଜନ ସୋ’ ରେ ମଧ୍ୟ ସେ ବଂଶୀ ବାଦନ କରିଛନ୍ତି । ଏମିତିକି ସେ ନେପାଳ, କାଠମାଣ୍ଡୋ, ଦିଲ୍ଲୀ, କୋଲକାତା ଆଦି ସ୍ଥାନରେ କଳା ପ୍ରତି ଥିବା ନିପୁଣ ନିଶାର ନିଦର୍ଶନ ସାଜିଛନ୍ତି । ହେଲେ ଏବେ… ଏବେ ସେ ସମ୍ପୂର୍ଣ୍ଣ ଅଲୋଡା । କଳା ପାଇଁ କୂଳ ପାଇଁ । ତେଣୁ ତ କାଳିଆ କାନରେ ବଂଶୀର ସ୍ୱର ପହଞ୍ଚାଉଛନ୍ତି ଏ ବୃଦ୍ଧ ।

ପୁରୀ ମାର୍କଣ୍ଡସ୍ୱର ସାହିରେ ରହୁଥିବା ପୂର୍ଣ୍ଣଚନ୍ଦ୍ରଙ୍କର ସାନ ଭାଇକୁ ଛାଡିଦେଲେ ନିଜର ବୋଲି କେହି ନାହିଁ । ୩ ମାସ ତଳେ ରିକ୍ସାଟାଣି ନେବା ବେଳେ ଅଟୋ ସହ ଧକ୍କା ହେବା ପରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା । ଆଉ ଏହି ସହୃଦୟ ବ୍ୟକ୍ତିମାନେ ତାଙ୍କ ଦୁଃଖ ଦେଖି ତାଙ୍କୁ ସାହାଯ୍ୟ କରିଛନ୍ତି ଆଉ ମେଡିକାଲ ଆଣିଛନ୍ତି । ତେବେ କଷ୍ଟରେ ଥାଇ ବି ସେ ବଂଶୀକୁ ଛାଡି ପାରି ନାହାନ୍ତି । କାରଣ ତାଙ୍କ ଭିତରେ ଗୋଟେ କଳାକାର ଆତ୍ମ ରହିଛି । ସୁଯୋଗଟିଏ ମିଳିଲାନି ବୋଲି ସିନା ନିଶାକୁ ପେଶା କରିପାରିଲେନି ହେଲେ ଏବେ ନିସଙ୍ଗ ଜୀବନ ବିତେଇବାକୁ ବଡଦାଣ୍ଡରେ ଏ ବଂଶୀ ହିଁ ସାଜିଛି ସାଥୀ…