ହାତରେ ୟୁରୋ ବ୍ୟାଗ୍, ମୁହଁରେ ହାରିନଥିବା ହସ । ଜାଲ ବିକି ଜିଇଁବାର ଆଶା ବାନ୍ଧିଛନ୍ତି ୬୫ ବର୍ଷୀୟ ବୃଦ୍ଧ । ଦାରୁଣ ଦୁଃଖ ଭିତରେ ଉଦାହରଣ ଭରା କୁଳମଣିଙ୍କ କାହାଣୀ

175

କନକ ବ୍ୟୁରୋ : ହାତରେ ୟୁରୋ ବ୍ୟାଗ୍, ମୁହଁରେ ହାରିନଥିବା ହସ । ହାଟରେ ହତାଶାର ବାର୍ଦ୍ଧ୍ୟକତାକୁ ନେଇ ଜୀବନ ଜିଇଁବାର ଇଛା । ନିଜେ ବଞ୍ଚି ପରିବାରର ପେଟ ପୋଷିବାକୁ ୟୁରୋ ବ୍ୟାଗକୁ ସାଥି କରିନେଇଛନ୍ତି ବୁଢ଼ା ମଉସା । ଜୀବନ-ମୃତ୍ୟୁ ଲଢ଼େଇକୁ ଜାରି ରଖିବା ପାଇଁ ମଣିଷଭରା ହାଟରେ ମାଛମରା ଜାଲ ବିକୁଛନ୍ତି ଅନୁଗୁଳ ଜିଲ୍ଲା ବଂରପାଳ ଗ୍ରାମର କୁଳମଣି ନାୟକ । ଅର୍ଥଅଭାବ ଓ ସରକାରୀ ସହାୟତାରୁ ନିରାଶା ପରେ ଆଉ କିଛିଦିନ ବଞ୍ଚିବାକୁ ସାପ୍ତାହିକ ହାଟରେ ସଂଘର୍ଷ କରୁଛନ୍ତି ଏହି ଅସହାୟ ବୃଦ୍ଧ ।

୬ ମାସ ପୂର୍ବେ ବୃଦ୍ଧ କୁଳମଣିଙ୍କର ପରିସ୍ରାଗାରରେ ମାଂସପେଶୀ ଜମିଯାଇଥିଲା । କଟକ ବଡ଼ ମେଡିକାଲରେ ଚିକିତ୍ସିତ ମଧ୍ୟ ହୋଇଥିଲେ । ହେଲେ ବାରମ୍ବାର ଚିକିତ୍ସା ପରେ ମଧ୍ୟ ସୁସ୍ଥ ହୋଇପାରି ନାହାନ୍ତି ୬୫ ବର୍ଷୀୟ କୁଳମଣି ନାୟକ । ଆଉ କରୋନା କଟକଣା ପୂର୍ବରୁ ଜାଲ ବିକି ଉପାର୍ଜିତ କରିଥିବା ଟଙ୍କା ବି ବାରମ୍ବାର ଚିକିତ୍ସାରେ ଖର୍ଚ୍ଚ ହୋଇଗଲା । ଫଳରେ ଏବେ ଚିକିତ୍ସା ପାଇଁ ହାତମୁଠାରେ ପଇସା ନଥିବାକୁ ଶାରୀରିକ ଯନ୍ତ୍ରଣା ଦାଉ ସାଜିଛି ।

ପରିବାର କହିଲେ ଘରେ କୁଳମଣିଙ୍କ ସମେତ ପାଞ୍ଚ କୁଟୁମ୍ବ । ଅର୍ଥଅଭାବ ଓ ଅସହାୟତାର ଭଉଁରୀ ଭିତରେ ମାଛମରା ଜାଲକୁ ବିକି ବଞ୍ଚିବାର ଆଶା ବାନ୍ଧିଛନ୍ତି ବୃଦ୍ଧ କୁଳମଣି । ଆଉ କୁଳମଣିଙ୍କ କାନ୍ଧକୁ କାନ୍ଧ ମିଳାଇଛନ୍ତି ତାଙ୍କ ପୁଅ । ଜିଇଁବାକୁ ଜାଲ ବିକୁଥିବା ବାପାଙ୍କ ସହ ସାପ୍ତାହିକ ହାଟରେ ହାତ ବଢ଼ାଇଛନ୍ତି । ହେଲେ ମାଛଜାଲର ବ୍ରିକ୍ରି ଏତେ ଭଲ ହେଉନଥିବାରୁ ସେ ବି ସହାୟତା ଅପେକ୍ଷାରେ ।

ତେବେ କୁଳମଣିଙ୍କ କାହାଣୀ ଯେତିକି କରୁଣ, କର୍ମକୁ ଫାଙ୍କି ବୟସ କିମ୍ବାର ବିଧାତାର ବାହାନା କାଢୁଥିବା ଲୋକଙ୍କ ପାଇଁ ଏକ ବଡ଼ ଉଦାହରଣ । ସରକାର ଏଯାଏଁ ହାତ ବଢ଼ାଇନାହାନ୍ତି ସତ କିନ୍ତୁ ଅସୁସ୍ଥତା ଆଢୁଆଳରେ ନିଜକୁ ନଢ଼ାଙ୍କି, ଦେହରେ ଛାଇ ପରି ରହିଥିବା ୟୁରୋ ବ୍ୟାଗକୁ ଧରି ଜାଲ ବିକୁଛନ୍ତି, ବଞ୍ଚିବାର ଆଶା ବାନ୍ଧିଛନ୍ତି । ତେଣୁ ସରକାରଙ୍କୁ ଆମେ ଅପିଲ୍ କରୁଛୁ ପ୍ରେରଣାଦାୟୀ କୁଳମଣିଙ୍କ କରୁଣ କାହାଣୀକୁ ଦେଖନ୍ତୁ ଏବଂ ଚିକିତ୍ସା ପାଇଁ ସହାୟତାର ହାତବଢ଼ାନ୍ତୁ ।