ଦେଶରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ରାତି ୮ଟା ସୁଦ୍ଧା ଜାତୀୟ ସ୍ତରରେ ୬୫.୬୧% ମତଦାନ

୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳର ମୋଟ୍ ୧୧୭ ଲୋକସଭା ଆସନରେ ହୋଇଥିଲା ମତଦାନ

86

କନକ ବ୍ୟୁରୋ: ଦେଶରେ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ଦେଶର ୧୩ ରାଜ୍ୟ ଓ ୨ କେନ୍ଦ୍ର ଶାସିତ ଅଂଚଳର ମୋଟ୍ ୧୧୭ ଲୋକସଭା ଆସନରେ ମତଦାନ ହୋଇଥିଲା । ଦେଶରେ କାଁ ଭାଁ ହିଂସାକାଣ୍ଡକୁ ଛାଡିଦେଲେ ମୋଟ୍ ଉପରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମତଦାନ । ଚତୁର୍ଥ ପର୍ଯ୍ୟାୟ ମତଦାନ ଆସନ୍ତା ୨୯ ତାରିଖରେ ହେବ ।

image courtesy – www.businesstoday.in

ଦେଶରେ ତୃତୀୟ ପର୍ଯ୍ୟାୟରେ ୧୧୭ ଆସନରେ ୬୫.୬୧ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ପଶ୍ଚିମବଂଗରେ ଜଣେ ଭୋଟରଙ୍କ ଜୀବନ ଯାଇଛି । ରାତି ୮ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଆସାମରେ ସର୍ବାଧିକ ୮୦.୭୩ ପ୍ରତିଶତ ଭୋଟିଂ ରେକର୍ଡ ହୋଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ କାଁଭାଁ ହିଂସାକାଣ୍ଡ ମଧ୍ୟରେ ମତଦାନ ହାର ୭୯.୬୭ ପ୍ରତିଶତ ରହିଛି । ଗୁଜରାଟରେ ୬୩.୬୭ ପ୍ରତିଶତ, କେରଳରେ ୭୧.୬୭ ପ୍ରତିଶତ ମତଦାନ ହୋଇଛି ।

ତୃତୀୟ ପର୍ଯ୍ୟାୟରେ ଉତରପ୍ରଦେଶର ୧୦ ଲୋକସଭା ଆସନରେ ଭୋଟ୍ ହୋଇଥିଲା । ଏଠାରେ ମତଦାନ ହାର ୬୧.୫୬ ପ୍ରତିଶତ ରହିଛି । ସେହିପରି ୧୪ ଲୋକସଭା ଆସନରେ ମତଦାନ ହୋଇଥିବା କର୍ଣ୍ଣାଟକରେ ରାତି ୮ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ମତଦାନ ହାର ୬୭.୫୬ ପ୍ରତିଶତ ବୋଲି କୁହାଯାଇଛି । କଡା ସୁରକ୍ଷା ମଧ୍ୟରେ ଜମ୍ମୁକଶ୍ମୀରରେ ମତଦାନ ହୋଇଥିଲା । ତେବେ ଏଠାରେ ମାତ୍ର ୧୩.୬୧ ପ୍ରତିଶତ ଭୋଟ୍ ପଡିଥିବା ରେକର୍ଡ ହୋଇଛି ।