ମାଟ୍ରିମୋନୀରୁ ସମ୍ପର୍କ, ଠକେଇରେ ଶେଷ: ୬୪ ଲକ୍ଷ ଠକି ନେଲା ମିଛ ପ୍ରେମିକ!

700

କନକ ବ୍ୟୁରୋ: ପ୍ରଥମେ ବିବାହ ପ୍ରଲୋଭନ ଦେଖାଇ ସର୍ମ୍ପକ ସ୍ଥାପନ କଲେ । ଆଉ ପରେ ମିଠା ମିଠା କଥା ଠକି ନେଲେ ଲକ୍ଷାଧିକ ଟଙ୍କା । ଏମିତି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗର ଯୁବତୀ । ସମ୍ବଲପୁର ଟାଉନ ଥାନା ଅଂଚଳର ରାହୁଲ ରକ୍ଷିତ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୬୪ ଲକ୍ଷ ଠକି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ଥାନାରେ ଅଭିଯୋଗ କରିଛନ୍ତି ଯୁବତୀ ।

ବଢ଼ିଲା ଝିଅକୁ ଧରି ସୁଦୂର ପଶ୍ଚିମବଙ୍ଗରୁ ସମ୍ବଲପୁର ଆସିଛନ୍ତି ବୁଢ଼ୀ ମା’ ଟିଏ । ତାଙ୍କର ଅଭିଯୋଗ ହେଲା, ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ଝିଅକୁ ଠକି ଦେଇଛନ୍ତି ସମ୍ବଲପୁରର ଜଣେ ଯୁବକ । ଯୁବତୀଙ୍କ ଅଭିଯୋଗ ହେଲା, ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ସ୍ଥାପନ କଲେ ଏବଂ ମିଠା ମିଠା କଥା କହି ଟଙ୍କା ଲୁଟିନେଲେ । ନିଜର ବିଭିନ୍ନ ସମସ୍ୟାର ଆଳ ଦେଖାଇ ୬୪ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ଯୁବତୀ । ଆଉ ଟଙ୍କା ଫେରିନପାଇବାରୁ ସମ୍ବଲପୁରକୁ ନିଜ ବୁଢ଼ୀ ମା’ଙ୍କ ସହ ଆସିଛନ୍ତି ପଶ୍ଚିମବଙ୍ଗର ସୋମା ଘୋଷ ।

ଅଭିଯୋଗ ଅନୁସାରେ, ସମ୍ବଲପୁର ଟାଉନ ଥାନା ଅଂଚଳର ରାହୁଲ ରକ୍ଷିତ । ରକ୍ଷିତ ଓ ସୋମାଙ୍କର ମାଟ୍ରିମୋନୀ ସାଇଟ୍ରେ ସମ୍ପର୍କ ସ୍ଥାପନ ହୋଇଥିଲା । ନିଜକୁ ଜଣେ ବ୍ୟବସାୟୀର ପରିଚୟ ଦେଉଥିବା ରାହୁଲ ୨୦୨୧ ମସିହାରୁ ସୋମାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ରାହୁଲ । ଉଭୟଙ୍କ ଭିତରେ ବାହାଘର କଥା ହେବା ସହ ବ୍ୟବସାୟ ପାଇଁ ଆବଶ୍ୟକୀୟ ଅର୍ଥ ମାଗୁଥିଲେ ରାହୁଲ । ନିଜର ସଂଚିତ ଅର୍ଥ, ଭାଇ ଓ ସଂପର୍କୀୟଙ୍କ ଠାରୁ ଟଙ୍କା ଆଣି ରାହୁଲଙ୍କୁ ଦେଇଥିଲେ ସୋମା । ଆଉ ଟଙ୍କା ନେବା ପରେ ଯୋଗାଯୋଗ ବନ୍ଦ କରିଦେଇଥିଲେ ରାହୁଲ । ଶେଷରେ ନିରୁପାୟ ହୋଇ ବୁଢ଼ି ମାଆଙ୍କୁ ଧରି ହୁଗୁଳିରୁ ସମ୍ବଲପୁର ପହଂଚିଥିଲେ ଯୁବତୀ । ରାହୁଲଙ୍କ ଘରକୁ ଯାଇ ତାଙ୍କ ସହ କଥା ହେବାକୁ ଚାହୁଁଥିବା ବେଳେ ରାହୁଲ କି ତାଙ୍କ ପରିବାର ଲୋକ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । ସେପଟେ ଯୁବତୀଙ୍କ ଅଭିଯୋଗକୁ ନେଇ ଏପର୍ଯ୍ୟନ୍ତ ଯୁବକ କିମ୍ବା ତାଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।