କନକ ବ୍ୟୁରୋ : ୟୁକ୍ରେନ ଉପରେ ଆକାଶମାର୍ଗରୁ ଘନଘନ ଆକ୍ରମଣ ଭିତରେ ସ୍ଥଳଭାଗରେ ମଧ୍ୟ ବଡଧରଣ ଆକ୍ରମଣ ପାଇଁ ପ୍ରସ୍ତୁତି କରିସାରିଛି ଋଷିଆ । ଏହାକୁ ପ୍ରମାଣ କଲାଭଳି ଏକ ଦୃଶ୍ୟ ଆମେରିକା ଉପଗ୍ରହ ଚିତ୍ରରୁ ସ୍ପଷ୍ଟ ହୋଇଛି । କିଭଳି ୟୁକ୍ରେନରେ ପ୍ରବେଶ କରିସାରିଛନ୍ତି ବିପୁଳ ପରିମାଣରେ ଋଷିଆ ସେନା ତାହା ଦେଖିବାକୁ ମିଳିଛି । ୟୁକ୍ରେନ ରାଜଧାନୀ କିଭର ଉତ୍ତର ପଟରେ କିଛି ଏହିଭଳି ସେନା ଛାଉଣି କରିଛି ମସ୍କୋ ।

Advertisment

ଆମେରିକା କମ୍ପାନି ମାସ୍କର ପକ୍ଷରୁ  ଜାରି ହୋଇଥିବା ଏହି ଫଟୋରୁ ଜଣାପଡୁଛି ଯେ, ପ୍ରାୟ ୬୪ କିଲୋମିଟର ଧରି ଲମ୍ବିଛି ଋଷିଆ ସେନାର କାରକେଡ୍ । ଅର୍ଥାତ ସୈନିକ, ଗୋଳା ବାରୁଦ ଓ ଯୁଦ୍ଧାସ୍ତ୍ର ଧରି ଆଗକୁ ବଢି ଚାଲିଛି ଋଷିଆ । ୟୁକ୍ରେନର ଛାତିରେ ଛନକା ଭରିଦେଲା ଭଳି ଏହି ଚିତ୍ର ସାରାବିଶ୍ୱକୁ ବିସ୍ମିତ କରିଛି । କାରଣ ପୂର୍ଣ୍ଣ ଶକ୍ତି ଲଗାଇ ୟୁକ୍ରେନକୁ ନିଶ୍ଚିହ୍ନ କରିଦେବାକୁ ବସିଛି ଋଷିଆ । ସାଟେଲାଇଟ ଚିତ୍ରରୁ ଜଣାପଡିଛି ଯେ, ୟୁକ୍ରେନ ସୀମାଠାରୁ ପ୍ରାୟ ୨୦ କିଲୋମିଟର ଦୂର ବେଲାରୁସରେ ଋଷର ଲଢୁଆ ହେଲିକପ୍ଟର ମଧ୍ୟ ପ୍ରସ୍ତୁତ ହୋଇ ରହିଛି ।