କନକ ବ୍ୟୁରୋ : ୧୯ ଯୁଦ୍ଧ ପାଇଁ ଶେଷ ହୋଇଛି ପଞ୍ଚମ ପର୍ଯ୍ୟାୟ ଲଢେଇ । ନେତା ବାଛିଛନ୍ତି ଜନତା । ୨୦୧୯ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ୫୧ଟି ଆସନ ପାଇଁ ମତଦାନ ସଂପୂର୍ଣ୍ଣ ହୋଇଛି । ଏହି ପର୍ଯ୍ୟାୟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ ସ୍ମୃତି ଇରାନିଙ୍କ ସମେତ ୬୭୪ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି । ଆଜି ଉତ୍ତରପ୍ରଦେଶର ୧୪, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଂଗରେ ୭ଟି ଲେଖାଏଁ ଆସନ, ବିହାରରେ ୫, ଝାଡ଼ଖଣ୍ଡରେ ୪ ଏବଂ ଜମ୍ମୁ କଶ୍ମୀରର ୨ଟି ଆସନରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି । ୨୦୧୪ ନିର୍ବାଚନରେ ଏହି ୫୧ଟି ଆସନରୁ ୩୯ ଆସନରେ ବିଜେପିର ବିଜୟ ହୋଇଥିଲା । ୫୧ ଆସନ ସମେତ ମୋଟ ୫ଟି ପର୍ଯ୍ୟାୟରେ ୪୨୪ ଆସନରେ ଭୋଟ୍ ଗ୍ରହଣ ସଂପୂର୍ଣ୍ଣ ହୋଇଛି । ଅବଶିଷ୍ଟ ୧୧୮ ଆସନରେ ୧୨ ମେ ଏବଂ ୧୯ ମେ’ରେ ଭୋଟ୍ ଗ୍ରହଣ ହେବ ।
ସନ୍ଧ୍ୟା ୭ଟା ସୁଦ୍ଧା ବିହାରରେ ୬୩.୭୨ ପ୍ରତିଶତ, ଜମ୍ମୁ କଶ୍ମୀରରେ ୧୭ ପ୍ରତିଶତ, ମଧ୍ୟ ପ୍ରଦେଶରେ ୫୭.୩୩ ପ୍ରତିଶତ, ରାଜସ୍ଥାନରେ ୬୩.୭୮ ପ୍ରତିଶତ, ୟୁପିରେ ୫୩.୪୧ ପ୍ରତିଶତ, ପଶ୍ଚିମବଂଗରେ ୭୪.୪୨ ପ୍ରତିଶତ ଏବଂ ଝାଡ଼ଖଣ୍ଡରେ ୬୪.୭୨ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । ଆଜି ଭୋଟ୍ ଗ୍ରହଣ ବେଳେ ପୁଲୱାମାରେ ଆତଙ୍କବାଦୀମାନେ ଦୁଇଟି ସ୍ଥାନରେ ମତଦାନ କେନ୍ଦ୍ର ଉପରେ ଗ୍ରେନେଡ ଆକ୍ରମଣ କରିଥିଲେ। ଗୋଟିଏ ଗ୍ରେନେଡ ବିସ୍ଫୋରଣ ହୋଇନଥିବା ବେଳେ ଅନ୍ୟ ଏକ ଗ୍ରେନେଡକୁ ବିସ୍ଫୋରଣ ପୂର୍ବରୁ ନଷ୍ଟ କରିଦେବାକୁ ସୁରକ୍ଷା ବାହିନୀ ସକ୍ଷମ ହୋଇଥିଲେ । ଦକ୍ଷିଣ କଶ୍ମୀରର ସର୍ବାଧିକ ଆତଙ୍କ ପ୍ରବଳ ଅଂଚଳ ଭାବେ ପରିଚିତ ସୋପିଆନ୍ରେ ଆତଙ୍କବାଦୀମାନେ ଭୋଟର୍ଙ୍କୁ ଭୟଭୀତ କରିବା ପାଇଁ ପେଟ୍ରୋଲ ବୋମାରେ ଆକ୍ରମଣ କରିଥିଲେ। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି।
ପଶ୍ଚିମବଂଗରେ ଆଜି ୬ଟି ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବା ବେଳେ ବିଭିନ୍ନ ସ୍ଥାନରେ ଉତ୍ତେଜନା ଲାଗି ରହିଛି । ହାୱଡ଼ାରେ ଟିଏମ୍ସି ସାଂସଦ ପ୍ରସୁନ ବାନାର୍ଜୀ ଏକ ବୁଥ୍ ଭିତରକୁ ପ୍ରବେଶ କରିବା ବେଳେ ସୁରକ୍ଷା କର୍ମୀମାନେ ତାଙ୍କୁ ଅଟକାଇବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ବନଗାଁରେ ବିଜେପି ଏବଂ ଟିଏମ୍ସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ୩ ଜଣ ଆହତ ହୋଇଥିବା ଖବର ମିଳିଛି । ହୁଗୁଳି ଏବଂ ହାୱାଡ଼ାରେ ୪ଟି ସ୍ଥାନରେ ବିଜେପି ଏବଂ ଟିଏମ୍ସି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ସେହିଭଳି ବେରକ୍ପୁରରେ ବିଜେପି କର୍ମୀଙ୍କୁ ଟିଏମ୍ସି କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଛି । ବିଜେପି ପ୍ରବକ୍ତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଏ ସଂପର୍କରେ କହିଛନ୍ତି ଯେ ବିଜେପି କର୍ମୀମାନଙ୍କୁ ଟିଏମ୍ସି ଗୁଣ୍ଡାମାନେ ଆକ୍ରମଣ କରିବା ସହ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଯିବାକୁ ଦେଇନଥିଲେ । ବିଜେପିକୁ ଭୋଟ୍ ନଦେବା ପାଇଁ ଗାଁକୁ ଗାଁ ବୁଲି ଟିଏମ୍ସି ଗୁଣ୍ଡାମାନେ ଧମକ ଦେଇଥିବାରୁ ଏ ସଂପର୍କରେ ବିଜେପି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହେବ ବୋଲି ସେ କହିଛନ୍ତି । ବିହାର ଛପରାର ସୋନପୁର ବିଧାନସଭା କ୍ଷେତ୍ରର ଏକ ମତଦାନ କେନ୍ଦ୍ରରେ ଇଭିଏମ୍କୁ ଦୁର୍ବୃତମାନେ ଭାଙ୍ଗି ଦେବାରୁ ସେଠାରେ ଭୋଟ୍ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା । ପୁଲିସ ଏହି ମାମଲାରେ ଜଣଙ୍କୁ ଗିରଫ କରିଥିବା ବେଳେ ତୁରନ୍ତ ବିକଳ୍ପ ଇଭିଏମ୍ ବ୍ୟବସ୍ଥା କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/vlcsnap-error107.png)