ଜଙ୍ଗଲର ସୁରକ୍ଷା ପାଇଁ ଜିଜାନ୍ ଲଗେଇ ଦେଇଛନ୍ତି ୮୨ ବର୍ଷୀୟ ବୃଦ୍ଧା । ହାତଥରା ବୟସରେ ଗଛର ଯତ୍ନ ନେଉଛନ୍ତି, କବିତା ଲେଖି ସଚେତନ କରୁଛନ୍ତି ସୁବର୍ଣ୍ଣ ।

131

କନକ ବ୍ୟୁରୋ: ଜଙ୍ଗଲ ନଥିଲେ ଜୀବନ ନାହିଁ, ବିନା ଜୀବନରେ ଜଗତ ନାହିଁ । ଗଛ, ଲତା, ପ୍ରକୃତି, ପରିବେଶ ତାଙ୍କ ପ୍ରାଣ, ତାଙ୍କ ପରିବାର, ତାଙ୍କ ପୁଅ ଝିଅ । ସେଇଥିପାଇଁ ତ ହାତଥରା ବୟସରେ ବାଡି ଖଣ୍ଡେ ଧରି ଡେଙ୍ଗା ଡେଙ୍ଗା ଗଛ ମାନଙ୍କର ଯତ୍ନ ନେଉଛନ୍ତି ସେ ଆଉ ପୁଅ ପରି ବଡ କରିଥିବା ଗଛମାନଙ୍କୁ ସୁରକ୍ଷା ଦେଉଛନ୍ତି । ଗଛମାନଙ୍କ ପ୍ରତି ଏଇ ଭଲପାଇବା ଓ ସ୍ନେହ ପାଇଁ ସେ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ।

ଅନୁଗୁଳ ବଅଁରପାଳ ଅଞ୍ଚଳରେ ହସୁଥିବା ଏ ଜଙ୍ଗଲ ହେଉଛି ସ୍ଥାନୀୟ ଲୋକଙ୍କ ପରିଶ୍ରମର ଫଳ । ଏଠି ପ୍ରତିଟି ଗଛର ଡାଳପତ୍ରରେ ଅଛି ଲୋକଙ୍କ ଶ୍ରମ, ଗଛ ମୂଳରେ ଅଛି ସ୍ନେହ ଯତ୍ନର ଝାଳ । କାରଣ ଯେତେବେଳେ ଅନୁଗୁଳ ଜିଲ୍ଲାରେ ଶିଳ୍ପ ଗଢି ଉଠିଲା । ଶିଳ୍ପାୟନର ସ୍ୱପ୍ନ ଦେଖାଗଲା ସେତେବେଳେ ନଷ୍ଟ ହେଲା ଜଙ୍ଗଲ । କଟାଗଲା ବଡ ବଡ ଗଛ । କୋଇଲା ଖଣିର କଳା ଧୂଆଁରେ ଅଣନିଶ୍ୱାସୀ ହୋଇଗଲା ଅନୁଗୁଳ । ଠିକ ସେତିକିବେଳେ ଜଙ୍ଗଲର ଆବଶ୍ୟକତା ବୁଝିପାରିଥିଲେ ୮୨ ବର୍ଷୀୟ ବୃଦ୍ଧା ସୁବର୍ଣ୍ଣ ଦେହୁରୀ ।

କେମିତି ଗାଁ ପାଖ ଜଙ୍ଗଲକୁ ସୁରକ୍ଷା ଦେଇହେବ, ତାର ଯତ୍ନ ନେଇହେବ । ଗଛକୁ କେମିତି ପିଲାଙ୍କ ପରି ବଢାଇହେବ ସେନେଇ ଗାଁ ଲୋକଙ୍କ ନେଇ ଗଢିଥିଲେ ଜଙ୍ଗଲ ସୁରକ୍ଷା କମିଟି । ମହିଳା ହୋଇଥିବାରୁ ପ୍ରଥମେ ତାଙ୍କୁ ଲୋକେ ଟାହିଟାପରା କରୁଥିଲେ ହେଲେ ତାଙ୍କର ପ୍ରକୃତିପ୍ରତି ନିଷ୍ଠା ତାଙ୍କୁ ଆଜି ସଫଳ କରାଇଛି ।

ପରିବେଶ ସୁରକ୍ଷା, ପ୍ରକୃତିର ସୁରକ୍ଷା ଓ ଜଙ୍ଗଲ ବଞ୍ଚାଇବା ପାଇଁ ସେ ବିଭିନ୍ନ ସ୍ଥାନରେ କବିତା ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି । ତାଙ୍କର ଅନେକ କବିତା ଗାଁ, ମାଆ, ମାଟି, ଗଛ, ଲତା, ଜଙ୍ଗଲକୁ ନେଇ ହୋଇଥିବା ବେଳେ ବଣଜଙ୍ଗଲ ପ୍ରତି ସୁବର୍ଣ୍ଣଙ୍କ ଏ ସହାନୁଭୂତି ପାଇଁ ତାଙ୍କୁ ୨୦୧୫ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିଛି ।

ତେବେ ଦିନେ ଯେଉଁଠି କିଛି ନଥିଲା, ଏବେ ସେଠି ବଡ ବଡ ଗଛ ଆକାଶକୁ ମୁଣ୍ଡ ଟେକି ହସୁଛନ୍ତି । ଆଉ ଏହା କେବଳ ସମ୍ଭବ ହୋଇଛି ମଣିଷଙ୍କର ପ୍ରକୃତି ପ୍ରୀତି ପାଇଁ । ତେଣୁ ଖାଲି ସୁବର୍ଣ୍ଣ କାହିଁକି ଆପଣମାନେ ବି ବେଳ ଥାଉଁଥାଉଁ ସାବଧାନ ହୋଇଯାଆନ୍ତୁ । ବିପଦ ମାଡି ଆସିବା ଆଗରୁ ନିଜ ପରିବେଶକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ । ଆଉ ଡେରି ନକରି ସମ୍ବାଦ ଡିଜିଟାଲର ପୁନଶ୍ଚ ପୃଥିବୀ ଅଭିଯାନରେ ସାମିଲ ହୋଇ ବୃକ୍ଷ ସହ ବନ୍ଧୁତା ସ୍ଥାପନ କରନ୍ତୁ ।