ବୁଢା ବୟସରେ ବୁଲିବୁଲି ରାଜଧାନୀରେ କାକୁଡି ବିକୁଛନ୍ତି କଳାକାର । ବେପାର କରି ପଇସା ନୁହେଁ ପାଉଛନ୍ତି ଖୁସି ।

239

କନକ ବ୍ୟୁରୋ: ଆଗରେ ବ୍ୟାଗ, ପଛରେ ଝୁଡି । ବେପାର ପାଇଁ ବୟସ୍କ ପାଦ ମାଡି ରାଜଧାନୀ ରାସ୍ତାରେ ଗଡେ କଳାକାରଙ୍କ ସାଇକେଲ । ସକାଳର ସୂର୍ଯ୍ୟ ଉଇଁବାଠୁ ଅପରାହ୍ଣର ବୟସ୍କ ସୂର୍ଯ୍ୟ ବୁଡିବା ଯାଏଁ ରାଜଧାନୀରେ ବୁଲି ବୁଲି ବେପାର କରନ୍ତି ଏ ୬୨ ବର୍ଷୀୟ ବୃଦ୍ଧ । ପଶ୍ଚିମ ଆକାଶରେ ବିଦାୟ ନେଉଥିବା ଏ ସୂର୍ଯ୍ୟ ପରି ମଉସା ବି ବୟସର ପଶ୍ଚିମତୀରରେ । ହେଲେ ଏ ବୟସରେ କଣ ପାଇଁ ସେ କାକୁଡି ବିକୁଛନ୍ତି ଏ ପ୍ରଶ୍ନ ମନରେ ଉଙ୍କି ମାରିବା ସ୍ୱାଭାବିକ… ହଁ, ମଉସାଙ୍କ କିଛି ଅଭାବ ନାହିଁ, ଅସୁବିଧା ବି ନାହିଁ… ନା ସେ ପେଟ ପାଇଁ ବେପାର କରୁଛନ୍ତି ନା ପରିବାର ପୋଷିବାକୁ । ବାସ୍, କାକୁଡି ବିକି ସେ ଶାନ୍ତି ପାଉଛନ୍ତି… ମନକୁ ଫୁର୍ତ୍ତି ରଖୁଛନ୍ତି…

କଳାକାର ଦାସ । ବୟସ ୬୨, ଘର ଢେଙ୍କାନାଳ । ୧୯୮୧ ମସିହାରେ ଭୁବନେଶ୍ୱର ଗଙ୍ଗନଗର ସରକାରୀ ସୂତାକଳରେ ଚାକିରି ଆରମ୍ଭ କରିଥିଲେ । ହେଲେ କିଛି ଦିନ ଚାକିରି କରିବା ପରେ ଅଚାନକ ସୂତାକଳ ବନ୍ଦ ହୋଇଗଲା । ଆଉ ତାପରେ ଜୀବନ ଯୁଦ୍ଧରେ ହାରି ନଯାଇ, କାହା ପାଖରେ ହାତ ନପାତି ସ୍ୱାଭିମାନର ସହ ସଙ୍ଘର୍ଷ କଲେ । ସେବେଠାରୁ କାକୁଡି ବିକୁଛନ୍ତି କଳାକାର ।

ନାଁ ଯେମିତି କାମ ସେମିତି । ନିଜ ମେଳାପିପଣ ଆଉ କଥା କହିବାର କଳା ତାଙ୍କୁ ଅନ୍ୟମାନଙ୍କ ପାଖରେ ଆପଣାର କରିଦିଏ । ଏଇ ଯେମିତି ପିଲାମାନେ ମଜା କରି ମଉସାଙ୍କ ପାଖରୁ କାକୁଡି କିଣି ଖାଉଛନ୍ତି । ସବୁଜ ପତ୍ର ଉପରେ ସଜସଜ କାକୁଡି ଆଉ ତା ଉପରେ ଲଙ୍କାଲୁଣ ପକାଇ ମଉସା ଯେତେବେଳେ ଗ୍ରାହକଙ୍କ ହାତକୁ ବଢାଇ ଦିଅନ୍ତି । ପାଖରେ ଛିଡା ହୋଇଥିବା ଲୋକ ଲୋଭ ସମ୍ବରଣ ନକରି ପାରି ମଉସାଙ୍କଠୁ କାକୁଡି କିଣନ୍ତି ଆଉ ମନଶାନ୍ତି କରି ଖାଆନ୍ତି…

ତେବେ ସରକାରଙ୍କ ତରଫରୁ କଳାକାରଙ୍କୁ ପେନସନ ମିଳୁଛି । ତାଙ୍କର ଦୁଇ ପୁଅ ମଧ୍ୟ ଘର ଚଳାଇବାକୁ ସକ୍ଷମ । ଘରେ କୌଣସି ଅସୁବିଧା ନଥିବା ସତ୍ୱେ ବି ଲୋକଙ୍କୁ ସେବା ଯୋଗାଇ ସେ ଶାନ୍ତି ପାଉଥିବା କଳାକାର ମଉସା କହିଛନ୍ତି । ଆଉ ସେଇଥିପାଇଁ ଏ ଭଙ୍ଗା ସାଇକେଲ ଧରି ନିଇନି ରାଜଧାନୀ ସାରା ବୁଲୁଛନ୍ତି…