କନକ ବ୍ୟୁରୋ: ଦେଶର ଦୁଇଟି ପ୍ରମୁଖ ବୋର୍ଡ ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟଗୁଡିକର ୬୦ଟି ବୋର୍ଡ ଜାତୀୟ ଶିକ୍ଷାନୀତିରେ ଗୋଟିଏ ପ୍ଲାଟଫର୍ମ ଅଧୀନରେ ରହିବ । ଏ ନେଇ ସବୁ ରାଜ୍ୟ ବୋର୍ଡଠାରୁ ପରାମର୍ଶ ଲୋଡାଯିବ ଏବଂ କମନ ଆସେସମେଣ୍ଟ ପ୍ରକ୍ରିୟାରେ ସମାନତା ଅଣାଯିବ ବୋଲି ଜି-୨୦ ଶିକ୍ଷା ୱାର୍କିଂ ଗ୍ରୁପ ବୈଠକ ଶେଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ମନ୍ତ୍ରାଳୟ ସଚିବ ସଞ୍ଜୟ କୁମାର । ଏହାସହ ସମଗ୍ର ଦେଶରେ କମନ ଆସେସମେଣ୍ଟପ୍ଲାଟଫର୍ମ ବିକଶିତ ହେବ ।

Advertisment

ଜାତୀୟ ଶିକ୍ଷାନୀତିରେ ପାଠପଢା ପ୍ରତିଯୋଗିତାମୂଳକ କରାଯିବ । ଚିରାଚରିତ ଘୋଷଣା ପାଠ ବଦଳରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ । ମୂଲ୍ୟାୟନ ପଦ୍ଧତିରେ ମଧ୍ୟ ପରିବର୍ତନ କରାଯିବ । ଆଗାମୀ ଶିକ୍ଷାନୀତିରେ ପିଲାଙ୍କ ଉପରୁ ପାଠପଢା ଭାର କମିବ । ଏସବୁକୁ ବିଚାର କରି ନୂଆ ପାଠ୍ୟକ୍ରମ, ୨୦୨୪ ଶିକ୍ଷାବର୍ଷ ସୁଦ୍ଧା ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।

ସ୍କୁଲସ୍ତରରୁ ପିଲାଙ୍କ ଦକ୍ଷତା ବିକାଶ ପାଇଁ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଦେଶର ସବୁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ପିଲାଙ୍କୁ ଦକ୍ଷତା ବିକାଶର ପାଠ ପଢାଯିବ । ପାଠପଢା ସହିତ ଦକ୍ଷତାର ମଧ୍ୟ ବିକାଶ ହୋଇପାରିବ । ୨୦୩୦ ସୁଦ୍ଧା ଦେଶର ୫୦ ପ୍ରତିଶତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବିକାଶ ପଦ୍ଧତିରେ କୁଶଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହୋଇଥିବା ଜି-୨୦ ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପର ବୈଠକ ଶେଷ ହୋଇଛି । ବୈଠକରେ ୨୦ଟି ସଦସ୍ୟ ଦେଶର ପ୍ରତିନିଧି ଏବଂ ୨୭ଟି ନିମନ୍ତ୍ରୀତ ଦେଶର ୬୩ଜଣ ପ୍ରତିନିଧି ଭାଗ ନେଇଥିଲେ ।