ନ୍ୟାୟପାଳିକା ଉପରେ ଏକ ନିର୍ଦ୍ଦିଷ୍ଟ ଗ୍ରୁପର ଚାପ ରହୁଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଅବଗତ କଲେ ୬୦୦ ଓକିଲ ।

357

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡଙ୍କୁ ୬୦୦ରୁ ଅଧିକ ଓକିଲ ଚିଠି ଲେଖିଛନ୍ତି । ଚିଠିରେ ଦର୍ଶାଇଛନ୍ତି ଯେ, ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍ ଦେଶର ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ପ୍ରୟାସ କରୁଛନ୍ତି । ଅଦାଲତର ରାୟକୁ ପ୍ରଭାବିତ କରିବାକୁ ଚାପ ପକାଇବା ଏହି ନିର୍ଦ୍ଦିଷ୍ଟ ଗ୍ରୁପର କାମ । ଯେଉଁ ମାମଲାରେ କୌଣସି ନେତାଙ୍କ ନାଁ ଥିବ କିମ୍ବା ଯେଉଁମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଥିବ ସେମାନଙ୍କ ପାଇଁ ଚାପ ପକାଯାଉଛି ।

ଓକିଲଙ୍କ କହିବା ଅନୁଯାୟୀ, ଏହି ନିର୍ଦ୍ଦିଷ୍ଟ ଗ୍ରୁପ୍ ନ୍ୟାୟପାଳିକାର କାମକୁ ପ୍ରଭାବିତ କରିବା ସହ ନ୍ୟାୟପାଳିକାର କାର୍ଯ୍ୟବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି । ଏପରିକି ନ୍ୟାୟପାଳିକା ଉପରେ ଲୋକଙ୍କ ବିଶ୍ୱାସ କମାଇବାକୁ ପ୍ରୟାସ କରାଯାଉଛି । ଏହି ଗ୍ରୁପ୍ ନିଜର ରାଜନୈତିକ ଏଜେଣ୍ଡା ଆଧାରରେ ଅଦାଲତର କୌଣସି ଫୈସଲାକୁ ପ୍ରଂଶସା ଓ ଆଲୋଚନା କରିଥାଏ । ଅଦାଲତର ବିଭିନ୍ନ ବେଞ୍ଚ କୁ ନେଇ ଏହି ଗ୍ରୁପ୍ ବିଭିନ୍ନ ପ୍ରକାର କାହାଣୀ ପ୍ରସ୍ତୁତ କରୁଛି । ଯଦି କୌଣସି ନେତାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସୁଛି ସେମାନଙ୍କ ସୁରକ୍ଷା ଢାଲ ହେଉଛନ୍ତି । ଯଦି ଅଦାଲତର ନିଷ୍ପତ୍ତି ସେମାନଙ୍କ ସପକ୍ଷରେ ଯାଇନଥାଏ ତେବେ ଗଣମାଧ୍ୟମରେ କୋର୍ଟଙ୍କୁ ଆଲୋଚନା କରିବାକୁ ମଧ୍ୟ ପଛାନ୍ତି ନାହିଁ । ତେଣୁ ଏଭଳି ଆଭିମୁଖ୍ୟକୁ ଗ୍ରହଣ କରାଯିବା ଉଚିତ୍ ନୁହେଁ ।

ଏହି ଗ୍ରୁପର ଗତିବିଧି ନିର୍ବାଚନ ସମୟରେ ଅଧିକ ବଢିଯାଏ । ୨୦୧୯ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ଏଭଳି ଦେଖିବାକୁ ମିଳିଥିଲା । ତେଣୁ ଅଦାଲତ ଓ ନ୍ୟାୟବ୍ୟବସ୍ଥାକୁ ସୁରକ୍ଷିତ ରଖିବାକୁ ସୁପ୍ରିମକୋର୍ଟ କଠୋର ନିଷ୍ପତ୍ତି ନେବା ଆବଶ୍ୟକ ।