୬୦ ବର୍ଷର ନଡ଼ିଆ ବଜାର ଭୋଗରାଇର ହାଟସରିଷା: ସପ୍ତାହକୁ ଦୁଇ ଦିନ ବସିଥାଏ ହାଟ, ରାଜ୍ୟ ତଥା ରାଜ୍ୟ ବାହାରକୁ ହୁଏ ରପ୍ତାନୀ

60

କନକ ବ୍ୟୁରୋ: ଯେଉଁ ବ୍ୟବସାୟୀ ମାନେ କତାରି ବିଭିନ୍ନ ସାମଗ୍ରୀ ତିଆରି କାରଖାନା କରିଛନ୍ତି ସେମାନେ ସାକ୍ଷୀଗୋପାଳ କିମ୍ବା କେରଳରୁ କତା ଆଣୁଛନ୍ତି । ତେଣୁ ଚାଷୀ ମାନେ ନଡ଼ିଆ ବିକ୍ରି କରି ଉପଯୁକ୍ତ ମୂଲ୍ୟ ପାଇବା ପାଇଁ ସରକାର ସମବାୟ ସମିତି ଗଠନ କରିବାର ଆବଶ୍ୟକତା ରହିଛି । ଚାଷୀଙ୍କ ଠାରୁ ନଡ଼ିଆ କତା ଓ ନଡ଼ିଆ କିଣି ବାହାରେ ବିକ୍ରି କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ଚାଷୀ ଏବଂ ନଡ଼ିଆ ବ୍ୟବସାୟୀ କତା କିମ୍ବା ନଡ଼ିଆ ବିକ୍ରି କରି ଲାଭବାନ ହୋଇପାରିବେ ।

ପୁରୀର ସାକ୍ଷୀଗୋପାଳ ପରେ ରାଜ୍ୟରେ ନଡ଼ିଆ ଉତ୍ପାଦନରେ ଭୋଗରାଇର ସ୍ଥାନ ଦ୍ୱିତୀୟ । ଏହି ଅଂଚଳକୁ ଧାନ, ପାନ ଓ ମୀନର ଅଂଚଳ ବୋଲି ମଧ୍ୟ କୁହାଯାଏ । ସ୍ଥାନୀୟ ଚାଷୀ ହୁଅନ୍ତୁ ଅବା ବ୍ୟବସାୟୀ ସେମାନଙ୍କ ରୋଜଗାରର ଅନ୍ୟ ଏକ ପନ୍ଥା ପାଲଟିଥିଲା ନଡ଼ିଆ ଚାଷ । ଭୋଗରାଇର ପ୍ରାୟ ଅଧିକାଂଶ ଲୋକଙ୍କ ବାଡ଼ିରେ ୧୦ରୁ ୧୫ ନଡ଼ିଆ ଗଛ ଦେଖିବାକୁ ମିଳିଥାଏ । ବିଭିନ୍ନ ପ୍ରଜାତିର ନଡ଼ିଆ ଚାଷ କରନ୍ତି ଚାଷୀ । ହେଲେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଏବେ ଭାଙ୍ଗି ପଡ଼ିଛି ନଡ଼ିଆ ବ୍ୟବସାୟ । ସବୁଠାରୁ ବଡ଼ ସମସ୍ୟା ପାଲଟିଛି ଉପଯୁକ୍ତ ବଜାର ଅଭାବ । ଚାଷୀ ଉତ୍ପାଦନ କରୁଥିବା ନଡ଼ିଆ ବିକ୍ରି ପାଇଁ ଭୋଗରାଇର ଏକ ମାତ୍ର ବଜାର ହାଟ ସରିଷା ହିଁ ଭରସା । ପାନ, ଖଡ଼ି, ଚାଉଳ, ପନିପରିବା ବିକ୍ରି ପାଇଁ ଅନେକ ବଜାର ହାଟ ବସୁଥିବା ବେଳେ ନଡ଼ିଆ ବ୍ୟବସାୟ ପାଇଁ ହାଟ ସରିଷା ବଜାର ହିଁ ଏକ ମାତ୍ର ବଜାର । ତେଣୁ ଚାଷୀ ମାନେ ବେପାରିଙ୍କୁ ନଡ଼ିଆ ବିକ୍ରି କରିବା ହେଉ କିମ୍ବା ବ୍ୟବସାୟୀ ମାନେ ବ୍ୟବସାୟ କରିବ ପାଇଁ ଏହି ହାଟ ଉପରେ ନିର୍ଭର କରିବାକୁ ପଡ଼େ ।

ପାଖାପାଖି ୬୦ ବର୍ଷର ବଜାର ହେଉଛି ହାଟ ସରିଷା ବଜାର । ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଓ ଶନିବାର ଦୁଇ ଦିନ ବଜାର ବସିଥାଏ । ଦିନେ ଏହି ବଜାରରେ ୬୦ରୁ ଅଧିକ ବ୍ୟବସାୟୀ ଓ ୧୦ରୁ ଅଧିକ ମହାଜନ ଭଲ ବ୍ୟବସାୟ କରୁଥିଲେ । ଆଉ ଚାଷୀ ମାନେ ଏଠାରେ ନଡ଼ିଆ ବିକ୍ରି କରି ପରିବାର ପୋଷୁଥିଲେ । କିନ୍ତୁ ଧୀରେ ଧୀରେ ବଜାରରେ ବ୍ୟବସାୟୀ କମିବା ସହ ମହାଜନ ସଂଖ୍ୟା ମଧ୍ୟ କମିଛି । ଏବେ ବଜାରରେ ହାତଗଣତି ବ୍ୟବସାୟୀ ଓ ମହାଜନ ଅଛନ୍ତି । ଗୋଟିଏପଟେ ସରକାରୀ ପ୍ରୋତ୍ସାହନ ନମିଳିବା ଓ ଅନ୍ୟପଟେ ନଡ଼ିଆର ଉତ୍ପାଦନ କମିବା କାରଣରୁ ବ୍ୟବସାୟ ହ୍ରାସ ପାଉଛି । କାରଣ ବଜାରରେ ଏବେ ପଇଡ଼ର ଚାହିଦା ଅଧିକ ରହିଛି । ଗୋଟିଏ ନଡ଼ିଆର ମୂଲ୍ୟ ୧୦ରୁ ୧୫ ଟଙ୍କା ଥିବା ବେଳେ ପଇଡ଼ର ମୂଲ୍ୟ ୨୫ରୁ ୩୦ ଟଙ୍କା ରହିଛି । ଫଳରେ ନଡ଼ିଆ ବ୍ୟବସାୟୀ ଯେତିକି ପରିମାଣରେ ନଡ଼ିଆ ସଂଗ୍ରହ କରନ୍ତି ତାହା ଯଥେଷ୍ଟ ପରିମାଣରେ କମିଛି ।

ଯେଉଁ ବଜାରରୁ ୫୦ ହଜାରରୁ ଉଦ୍ଧ୍ୱର୍ ନଡ଼ିଆ ସଂଗ୍ରହ କରାଯାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ରପ୍ତାନୀ ହେଉଥିଲା । ଏବେ ସେହି ବଜାରରୁ ୫ରୁ ୭ ହଜାର ନଡ଼ିଆ ସଂଗ୍ରହ କରିବା କଷ୍ଟକର ହୋଇପଡ଼ୁଛି । ଉତ୍ପାଦନ କମିବର ପ୍ରମୁଖ କାରଣ ହେଉଛି ପଇଡ଼ ଫଳିବା ସମୟରେ ଭୁତାଣୁ ଜନିତ ରୋଗ । ଅନ୍ୟପଟେ ଉତ୍ପାଦନ କମିବାରୁ ଚାଷ ନଡ଼ିଆ କତାକୁ ଜାଳେଣି ରୂପେ ବ୍ୟବହାର କରୁଛନ୍ତି । ଫଳରେ ରାଜ୍ୟରେ କତାର କୃତ୍ରିମ ଅଭାବ ଦେଖାଦେଉଛି । ଏହା ଦ୍ୱାରା ପ୍ରଭବିତ ହେଉଛି ନଡ଼ିଆ କତା ଶୀଳ୍ପ ।