ଗାଁ ଗହଳିର ୬୦% ଲୋକ ଜାଣି ନାହାନ୍ତି କେମିତି କରିବେ ପଞ୍ଜିକରଣ : ବୋଷ୍ଟନ କନସଲଟିଂ ଗ୍ରୁପ ସର୍ଭେରୁ ତଥ୍ୟ ପ୍ରକାଶ

285

କନକ ବ୍ୟୁରୋ : ମହାମାରୀ କରୋନାର ମୁକାବିଲା ପାଇଁ ଏକମାତ୍ର ସଞ୍ଜିବନୀ ଟିକା । ସେଥିପାଇଁ ଭାରତରେ ଚାଲିଛି ବିଶ୍ୱର ସବୁଠାରୁ ବଡ ଟିକାକରଣ ଅଭିଯାନ । ଟିକାକରଣ ପାଇଁ କୋୱିନ୍ ଭଳି ଆପରେ ପଞ୍ଜିକରଣ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଉଛି । ତେବେ ଏହି ଆପରେ ଟିକାକରଣ ପାଇଁ କେମିତି ପଞ୍ଜିକରଣ କରିବାକୁ ପଡିବ ତାହା ଦେଶର ପ୍ରାୟ ଅଧା ଲୋକଙ୍କ ଜଣାନଥିବାରୁ ବିଶ୍ୱର ଏହି ସର୍ବବୃହତ ଟିକାକରଣ ଯୋଜନା ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଏନେଇ କିଛି ଦିନ ତଳେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଥିଲେ । ଡିଜିଟାଲ ମୋଡରେ ପଞ୍ଜିକରଣ ଯୋଗୁଁ ଟିକାକରଣ ବାଧାପ୍ରାପ୍ତ ହେବ ନାହିଁକି ବୋଲି ସରକାରଙ୍କୁ ପ୍ରଶ୍ନ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହା ପରେ ବୋଷ୍ଟନ କନସଲଟିଙ୍ଗ ଗ୍ରୁପ୍ ପକ୍ଷରୁ କରାଯାଇଥିବା ସର୍ଭେରୁ ଚମକାଇ ଦେବା ଭଳି ତଥ୍ୟ ସାମନାକୁ ଆସିଛି । ଏହି ସର୍ଭେ ସଂସ୍ଥା ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି, ଗ୍ରାମାଂଚଳର ପ୍ରାୟ ୬୩ ପ୍ରତିଶତ ଓ ଛୋଟ ସହରାଂଚଳର ୪୩ ପ୍ରତିଶତ ଲୋକଙ୍କୁ କୋୱିନ୍ ଆପରେ କେମିତି ପଞ୍ଜିକରଣ ହେବ ତାହା ଜଣାନାହିଁ ।

ତେବେ ଏହି ସର୍ଭେ ସଂସ୍ଥାର ତଥ୍ୟ ଅନୁସାରେ ଭଲ ଖବର ହେଉଛି, ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଲୋକଙ୍କ ଭିତରେ ଟିକା ନେବା ପାଇଁ ଉତ୍ସାହ ବଢ଼ିବାରେ ଲାଗିଛି । ଦେଶର ବଡ ବଡ ସହରରେ ଏହି ମହାମାରୀ ହାହାକାର ପରିସ୍ଥିତି ସୃଷ୍ଟି କରିବା ପରେ ଟିକାକରଣ ପାଇଁ ଲୋକଙ୍କ ଭିତରେ ଉତ୍ସାହ ବଢ଼ିଛି । ବଡ ସହରର ୭୮ପ୍ରତିଶତ ଲୋକ ଟିକା ନେବାକୁ ଆଗ୍ରହି ଅଛନ୍ତି । । ମେ ୨୩ରୁ ୨୮ ମଧ୍ୟରେ ଦେଶର ବିଭନ୍ନ ପ୍ରାନ୍ତରୁ ୪ହଜାର ଲୋକଙ୍କ ମତାମତ ନେଇଥିଲା ଏହି ସର୍ଭେ ସଂସ୍ଥା ।