୬୦ ଦିନ ପରେ ବି ମିଳୁନି ଦ୍ୱିତୀୟ ଡୋଜ : ରାତିରୁ ଟର୍ଚ୍ଚ ଲାଇଟ ଧରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଧାଡି ବାନ୍ଧୁଛନ୍ତି ବରିଷ୍ଠ ନାଗରିକ

ପଞ୍ଜୀକରଣରେ ଘୋର ଅବ୍ୟବସ୍ଥା କାରଣରୁ ଟିକା ନେଇ ପାରୁନାହାନ୍ତି ଲୋକ

226

କନକ ବ୍ୟୁରୋ : ୬୦ ଦିନ ପରେ ବି ମିଳୁନି ଦ୍ୱିତୀୟ ଡୋଜ । ରାତିରୁ ଟର୍ଚ୍ଚ ଲାଇଟ୍ ଧରି ଧାଡି ବାନ୍ଧିଛନ୍ତି ବରିଷ୍ଠ ନାଗରିକ । ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ଦେଖିବାକୁ ମିଳିଲା ଏପରି ଅବବ୍ୟସ୍ଥା । ଟିକା କରଣକୁ ନେଇ ଦେଖା ଦେଉଥିବା ବ୍ୟାପକା ଅନିୟମିତତା ପାଇଁ ଲୋକଙ୍କ ମଧ୍ୟରେ ଦେଖା ଦେଉଛି ଅସନ୍ତୋଷ । ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଏଥିପାଇଁ ସଂଗ୍ରାମ କରିବାକୁ ପଡ଼ୁଛି ବୋଲି ଅଭିଯୋଗ ହେଉଛି । ଅବଧି ପୁରିବା ପରେ ମଧ୍ୟ ସେମାନଙ୍କୁ ଦ୍ୱିତୀୟ ଡୋଜ ମିଳୁନାହିଁ ।

ଟିକା କେନ୍ଦ୍ର ପ୍ରବଳ ଭିଡ ହେଉଥିବାରୁ ବରିଷ୍ଠ ନାଗରିକମାନେ ରାତିରୁ ଟର୍ଚ୍ଚ ଲାଇଟ୍ ସାଙ୍ଗରେ ଆଣି ଟିକା କେନ୍ଦ୍ରରେ ଧାଡ଼ି ବାନ୍ଧି ଠିଆ ହେଉଛନ୍ତିି । ତଥାପି ଦାୟିତ୍ୱରେ କର୍ମଚାରୀମାନେ ସେମାନଙ୍କ ସମ୍ପର୍କୀୟଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି । ବିନା ଲାଇନରେ ଥାଇ ଲୋକଙ୍କୁ ଟିକା ମିଳୁଥିବା ବେଳେ ଲାଇନରେ ଠିଆ ହୋଇ ଲୋକେ ହତାଶ ହୋଇ ଘରକୁ ଫେରୁଛନ୍ତି ।

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ବନମାଳୀପୁର ଓ ରାଜସ ସବସେଂଟରରେ ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ୧୨ଶହ ଲୋକଙ୍କୁ ପ୍ରଥମ ଡୋଜ ଦିଆଯାଇଛି, ସେମାନଙ୍କ ଦ୍ୱିତୀୟ ଡୋଜ ପାଇଁ ଅବଧି ପୁରିଗଲାଣି ହେଲେ ଏପର୍ଯ୍ୟନ୍ତ ସେମାନେ ଟିକା ପାଇ ପାରୁ ନାହାନ୍ତି । ପଞ୍ଜୀକରଣରେ ଘୋର ଅବ୍ୟବସ୍ଥା ଥିବାରୁ ଧାଡ଼ି ବାନ୍ଧି ମଧ୍ୟ ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡ଼ୁଛି ।